ଆନ୍ଦୋଳନରୁ ଉତ୍ତେଜନା ! ପୁରୀ ଜିଲ୍ଲା ଚାରିଛକରେ ପୁଲିସ ଜିପକୁ ଜାଳିଦେଲେ ବିକ୍ଷୋଭକାରୀ

58

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆନ୍ଦୋଳନରୁ ଉତେଜନା । ବିକ୍ଷୋଭକାରୀଙ୍କ ଅସନ୍ତୋଷର ନିଆଁରେ ଜଳିଗଲା ପୁଲିସ ଜିପ୍ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡାର ଚାରିଛକଠାରେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ବିରୋଧରେ ସଂଗ୍ରାମ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଆକଟ କରିବାକୁ ପୁଲିସ ଲାଠି ବି ମାଡ କରିଛି । ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ପ୍ରଶାସନ ଶାନ୍ତି କମିଟି ଜରିଆରେ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଛି ।

ସୂଚନା ଅନୁଯାୟୀ , ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ ପାଇଁ ଚାଲିଥିଲା ଅନଶନ । ଗଲା ୧୮ ତାରିଖରୁ ଆମରଣ ଅନଶନରେ ବସିଥିଲେ ଗାଁ ଲୋକେ । ବିକ୍ଷୋଭକାରୀଙ୍କ ଅଭିଯୋଗ, ଦାବି ନେଇ ଆନ୍ଦୋଳନ କରିବାକୁ ଆସିନଥିଲେ ପ୍ରଶାସନିକ ଅଧିକାରୀ । ଏପରିକି ଦୁଇ ଦିନ ତଳେ ଅନଶନରେ ବସିଥିବା ସନ୍ତୋଷ ପ୍ରଧାନଙ୍କୁ ପୁଲିସ୍ ଉଠାଇନେଇଥିଲା ରାତି ଅଧିଆ । ଏହାକୁ ନେଇ ଦୁଇ ଦିନ ଧରି ରାସ୍ତାରୋକ କରିବା ପରେ ଆଜି ପୁଂଜିଭୂତ ଅସନ୍ତୋଷ ବିସ୍ପୋରକ ରୂପ ନେଇଥିଲା ।

ଦିନ ତମାମ୍ ଲାଗିଥିଲା ଚାପା ଉତ୍ତେଜନା । ଅପରାହ୍ନରେ ଶାନ୍ତି କମିଟି ଜରିଆରେ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲା ପ୍ରଶାସନ ।