ଚାଷୀ ସମାବେଶକୁ ଭଣ୍ଡୁର ପାଇଁ ଉଦ୍ୟମ : ସମାବେଶ ପାଇଁ ରାଜଧାନୀ ମୁହାଁ ଚାଷୀଙ୍କୁ ବିଭିନ୍ନ ଜାଗାରେ ଅଟକାଇବା ସହ ଅଧାବାଟରୁ ଉଠାଇନେଲା ପୁଲିସ

131

କନକ ବ୍ୟୁରୋ : ରାଜଧାନୀ ମୁହାଁ ଚାଷୀ । ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ ଲୋୟର ପିଏମଜିରେ ବିରାଟ ସମାବେଶ କରିବାକୁ ଆସୁଛନ୍ତି । ବିଭିନ୍ନ ବାଟ ଦେଇ ରାଜଧାନୀ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ଚାଷୀ । ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ସଙ୍ଗଠନ । ଏଥିପାଇଁ ରାଜଧାନୀରେ ଅର୍ଥନୈତିକ ଅବରୋଧ କରିବା ସହ ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲା ନବନିର୍ମାଣ କୃଷକ ସଙ୍ଗଠନ । ତେବେ ଭୁବନେଶ୍ୱରରେ ପହଂଚିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଶହ ଶହ ଚାଷୀଙ୍କୁ ଅଟକାଇଛି ପୋଲିସ୍ । ଚାଷୀଙ୍କୁ ଅଟକାଇବା ସହ ଅଧା ବାଟରୁ ଉଠାଇ ନେଇଛି । ଷ୍ଟେସନରେ ଶହ ଶହ ଚାଷୀ ବସି ରହିଛନ୍ତି ।

ସୂଚନାଯୋଗ୍ୟ, ଚାଷୀ ସମାବେଶ ପାଇଁ ଓଡିଶାର କୋଣ-ଅନୁକୋଣରୁ ଚାଷୀ ଭୁବନେଶ୍ୱରକୁ ଆସୁଥିଲେ । ଭୁବନେଶ୍ୱରକୁ ପ୍ରବେଶ କରିବା ପୂର୍ବରୁ ବିଭିନ୍ନ ଜାଗାରେ ରସୁଲଗଡ, ବରମୁଣ୍ଡା ବସ ଷ୍ଟାଣ୍ଡ, ବମିଖାଲ, ରେଲୱେ ଷ୍ଟେସନରୁ ପୁଲିସ ସଂଗଠନକର୍ମୀଙ୍କୁ ଗିରଫ କରିନେଇଛି । ଗତବର୍ଷ ଡିସେମ୍ବରରେ ଚାଷୀଙ୍କ ପଦଯାତ୍ରାକୁ ରାଜଧାନୀ ଉପକଣ୍ଠରେ ଅଟକାଯାଇଥିଲା । ଚାଷୀଙ୍କୁ ସହର ଭିତରକୁ ଛଡାଯାଇନଥିଲା ।