ଅଚିହ୍ନା ଶବକୁ ବଢ଼ିପାଣିରେ ଭସାଇଦେଲା ପୁଲିସ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ! ତଦନ୍ତ ନିର୍ଦ୍ଦେଶ ଦେଲେ ମାଜିଷ୍ଟ୍ରେଟ

54

କନକ ବ୍ୟୁରୋ: ପୂର୍ଣ୍ଣଗର୍ଭା ନଦୀ । ଅଥଳ ବନ୍ୟାଜଳ । ବଢ଼ି ପାଣିକୁ ଚାହିଁଲେ ମୁଣ୍ଡ ବୁଲାଇଦେବ । ଭୁଲରେ ବି ଖସିପଡିଲେ ପତ୍ତା ମିଳିବା ମୁସ୍କିଲ । ହେଲେ ସେହି ଅଥଳ ଜଳରାଶିକୁ ଫିଙ୍ଗାଗଲା ମୃତଦେହ । ଫିଙ୍ଗିଲା ପୁଲିସ । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଲା ଏଭଳି ଅଭାବନୀୟ ସମୟର ଭିଡିଓ । ବିହାରରେ ଏହି ଦୃଶ୍ୟ ଘଟିଥିବା ନେଇ ସୋସିଆଲ ମିଡିଆରେ ଜୋରସୋର ପ୍ରଚାର ହେବା ପରେ ଏବେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗତ କିଛିଦିନ ଧରି ବିହାର, ଆସାମ, ଓଡିଶା ଓ ଉତ୍ତରପ୍ରଦେଶରେ ବ ନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଘର ଭାସିଯାଇଛି । କେତେ ଯେ ବେସାହାରା ହୋଇଛନ୍ତି ତାହାର ହିସାବ ନାହିଁ । ହେଲେ ଏହି ବନ୍ୟାରେ ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ରିପୋର୍ଟ ହୋଇଛି । କେତେକଙ୍କର ପରିଚୟ ମିଳିଛି ଆଉ କିଛି ଲୋକଙ୍କର ପରିଚୟ ମିଳିବା ମୁସ୍କିଲ । ଗୋଟିଏ ସ୍ଥାନରୁ ମୃତଦେହ ଭାସି ଭାସି ଅନ୍ୟସ୍ଥାନରେ ଉଦ୍ଧାର ହୋଇଛି । ତେବେ ଶବକୁ ଉପଯୁକ୍ତ ସମ୍ମାନ ଦେଇ ସଂସ୍କାର କରିବାର ପ୍ରାବଧାନ ରହିଛି । ଯାହାର ବ୍ୟତିକ୍ରମ ଘଟିଥିବାର ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ ।
ବିହାର ବନ୍ୟାରେ କିଛି ଅଚିହ୍ନା ଶବ ଉଦ୍ଧାର ହୋଇଥିବା ରିପୋର୍ଟ ମିଳିଥିବା ବେଳେ ସେଥିମଧ୍ୟରୁ କିଛି ମୃତଦେହକୁ ପୋଲ ଉପରୁ ବଢ଼ିପାଣିରେ ଭସାଇ ଦିଆଯାଉଥିବାର ଚିତ୍ର ରେକର୍ଡ ହୋଇଛି । ମୀରଗଂଜ ପୋଲ ଉପରୁ ପ୍ରାୟ ୬ଟି ଅଚିହ୍ନା ଶବକୁ ବଢ଼ିପାଣିକୁ ଫିଙ୍ଗିଦେଉଛି ପୁଲିସ । ଏହି ସମୟରେ ରେକର୍ଡ ହୋଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ସୋର ମଚାଇଛି । ବହୁ ସଂଖ୍ୟାରେ ସେୟାର ହେଉଛି ଏହି ଭିଡିଓ । ଯଦିଓ କିଏ ଏହି ଭିଡିଓ ଅପଲୋହ କରିଛି ତାହା ଜଣାପଡିନି ତଥାପି ଏହାକୁ ବିହାର ମୀରଗଂଜର ବୋଲି ଦାବୀ କରାଯାଉଛି । ତେବେ ଘଟଣା ଜଣାପଡିବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ମୀରଗଂଜ ଜିଲ୍ଲା ମାଜିଷ୍ଟ୍ରେଟ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ।