କିପରି ଜହ୍ଲାଦ ବୁଣିଥିଲା ଷଡ଼ଯନ୍ତ୍ରର ଜାଲ ? କେମିତି ପାଶବିକ ଅତ୍ୟାଚାରର ଶିକାର ହେଲେ ମହିଳା ଡାକ୍ତର ? ଗିରଫ ୪ ଅଭିଯୁକ୍ତଙ୍କୁ ଜେରା କରି ସତ ଓଗାଳିଲା ପୁଲିସ ।

5,360

କନକ ବ୍ୟୁରୋ : ଗିରଫ ଅଭିଯୁକ୍ତ ଠାରୁ ସାଂଘାତିକ ସତ ସାମ୍ନାକୁ ଆଣିଛି ପୋଲିସ । ସ୍କୁଟି ଚକରୁ ପମ୍ପ ଖାଲିଦେଇ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ଅଭିଯୁକ୍ତ । ଏହା ସହ ମହିଳା ଜଣଙ୍କ ଜୀବନ ବଂଚାଇବାକୁ ଚିତ୍କାର କରିବାରୁ ତାଙ୍କ ମୁହଁକୁ ଚାପି ଧରି ବନ୍ଦ କରି ଦେଇଥିଲେ ନର ପିଶାଚମାନେ । ନୃଶଂସତାର ସବୁ ସୀମା ପାର କରିଥିଲେ ଅଭିଯୁକ୍ତ । ମହିଳା ଡାକ୍ତରଙ୍କ ଶ୍ୱାସରୁଦ୍ଧ ହୋଇଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ପୋଲିସ ।

କିପରି ଜହ୍ଲାଦ ବୁଣିଥିଲା ଷଡ଼ଯନ୍ତ୍ରର ଜାଲ ? କେମିତି ପାଶବିକ ଅତ୍ୟାଚାରର ଶିକାର ହେଲେ ମହିଳା ଡାକ୍ତର ? ୪ ଜଣ ଅଭିଯୁକ୍ତ ଗିରଫ ହେବା ପରେ ସାମ୍ନାକୁ ଆସିଛି ହାଇଦ୍ରାବାଦର ସାଂଘାତିକ ସତ । ସାମସାବାଦ ସ୍ଥିତ କୋଲୁରୁ ଅଂଚଳରେ ଥିବା ନିଜ ଘରକୁ ଫେରୁଥିଲେ ମହିଳା ଭେଟେନାରି ଡାକ୍ତର । ଟୋଲପ୍ଲାଜା ନିକଟରେ ରଖିଥିବା ସ୍କୁଟି ଧରି ଫେରିଲା ବେଳେ ଟାୟାର ପଙ୍କଚର୍ ହୋଇଥିବା ଜାଣିବାକୁ ପାଇଥିଲେ ।

ହାଇଦ୍ରାବାଦ ପୋଲିସ କହିଛି, ସ୍କୁଟି ଚକରୁ ପମ୍ପ ଖୋଲିଦେଇ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ଅଭିଯୁକ୍ତ । ମହିଳା ଡାକ୍ତର ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ମହମ୍ମଦ ଆରିଫ ତାଙ୍କ ମୁହଁକୁ ଚାପି ଧରିଥିଲା । ନୃଶଂସତାରେ ସବୁ ସୀମା ଟପିଯାଇଥିଲେ ୪ ଜଣ ସଇତାନ । ପୀଡିତା ଛଟପଟ ହେଉଥିବା ବେଳେ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଡାକ୍ତରଙ୍କ ଶ୍ୱାସରୁଦ୍ଧ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ପୋଲିସ । ପ୍ରମାଣ ନଷ୍ଟ କରିବା ପାଇଁ ଶେଷରେ ମହିଳା ଡାକ୍ତରଙ୍କୁ ଜାଳିଦେଇଥିଲେ ଅଭିଯୁକ୍ତ ।

ହାଇଦ୍ରାବାଦ ଭେଟେନାରୀ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମହମ୍ମଦ ଆରିଫ, ଜୋଲୁ ଶିବା, ଜୋଲି ନବୀନ, ଚିନ୍ତାକୁଟା ଚିନ୍ନାକେଶାଭାଲୁ । ମୃତ ଡାକ୍ତରଙ୍କ ଅର୍ଧଦଗ୍ଧ ମୃତଦେହ ଜବତ ପରେ ୪୮ ଘଂଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି ପୁଲିସ କମିସନର ।
ମହିଳା ଭେଟେନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରି ସମୟରେ ତେଲେଙ୍ଗାନାର ଗୃହମନ୍ତ୍ରୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ମୃତ ମହିଳା ଡାକ୍ତର ତାଙ୍କ ଭଉଣୀଙ୍କୁ ଫୋନ କରିବା ବଦଳରେ ପୁଲିସକୁ ଫୋନ କରିଥିଲେ ଜୀବନ ବଂଚିଯାଇଥାନ୍ତା ବୋଲି ସେ କହିଛନ୍ତି । ଏପରି ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବିରୋଧୀ ।

ହାଇଦ୍ରାବାଦ ପୁଲିସ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ମହିଳା ଡାକ୍ତରଙ୍କ ପରିବାର । ରାତିରେ ନିଖୋଜ ନେଇ ମାମଲା ରୁଜୁ କରିବାକୁ ପୁଲିସ ଏ ଥାନା ସେ ଥାନାକୁ ଦୌଡାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଯଦି ପୁଲିସ ଘଟଣାକୁ ଗୁରୁତ୍ୱ ସହ ନେଇ ତୁରନ୍ତ ଛାନଭିନ କରିଥାନ୍ତା, ହୁଏତ ଏପରି ବର୍ବର କାଣ୍ଡ ଘଟିନଥାନ୍ତା ବୋଲି କହିଛନ୍ତି ପରିବାର ଲୋକ ।