ଜୁଆଡିଙ୍କୁ ଧରିବା ପାଇଁ ପୋଲିସର ଫିଲ୍ମ ଷ୍ଟାଇଲ ! ଗାଈ ଚରାଳି ବେଶରେ ଜୁଆ ଆଡ୍ଡା ଉପରେ ମାରିଲା ରେଡ୍, ଚର୍ଚ୍ଚାରେ କମିସନରେଟ ପୋଲିସ

32

କନକ ବ୍ୟୁରୋ : ଜୁଆଡିଙ୍କୁ ଧରିବା ପାଇଁ ପୁଲିସର ଫିଲ୍ମ ଷ୍ଟାଇଲ । ଗାଈ ଚରାଳି ବେଶରେ ଜୁଆ ଆଡ୍ଡା ଉପରେ ଚଢାଉ କଲା ପୋଲିସ । କଟକ ମହାନଦୀବିହାର ଗାନ୍ଧୀପଲ୍ଲୀ ଅଂଚଳରେ କିଛି ଅସାମାଜିକ ଯୁବକ ଏକାଠି କିଛି ଅପରାଧ ଘଟାଇବା ପାଇଁ ଯୋଜନା କରୁଛନ୍ତି ବୋଲି ଚାଉଳିଆଗଞ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ସ୍ୱତନ୍ତ୍ର ଟିମ ସାଦା ପୋଷାକରେ ସେହି ସ୍ଥାନକୁ ଯାଇଥିଲା ତା ପରେ ପୋଲିସ ଠୋରେ ସେହି ଜୁଆଡିମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ପୋଲିସ ଉପରକୁ ଅପରପଟୁ ଢେଲାପଥର ମାଡ ହୋଇଥିଲା ।

ଜବାବରେ ପୋଲିସ ମଧ୍ୟ ୧ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲା । ତେବେ ଘଟଣାସ୍ଥଳରୁ ପୋଲିସ ୧୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୧୫ ହଜାର ଟଙ୍କା ୫ଟି ବାଇକ, ୮ଟି ମୋବାଇଲ ଜବତ କରିଛି । ସମସ୍ତ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କଟକ ଗାନ୍ଧୀପଲ୍ଲୀ ଓ ଏହାର ଆଖପାଖ ଅଂଚଳର । ଏମାନଙ୍କ ନାଁ ରେ ପୂର୍ବରୁ କିଛି ମାମଲା ରହିଛି କି ନାହିଁ ଏମାନଙ୍କୁ ମଧ୍ୟରୁ କାହାର କୈାଣସି ହାର୍ଡକୋର କ୍ରିମିନାଲ ଗ୍ୟାଙ୍ଗ ସହ ଲିଙ୍କ ରହିଛି କି ନାହିଁ ଏ ସବୁ ଦିଗକୁ ପୋଲିସ ଏବେ ଯାଞ୍ଚ କରୁଛି ବୋଲି କହିଛି ଚାଉଳିଆଗଞ ପୋଲିସ । ତେବେ ଗାଈ ଚରାଳି ବେଶରେ ପୋଲିସ ଯେଉଁଭଳି ଭାବେ ଏହି ଅପରେସନ କରିଥିଲା ତାହାକୁ ନେଇ ଏବେ ପୂରା କଟକରେ ଚର୍ଚ୍ଚା ଲାଗି ରହିଛି ।