କାହିଁକି ମଝିରେ ମଝିରେ ଡ୍ୟାନ୍ସ ବାରରେ ରେଡ଼ କରେ କମିଶନରେଟ ପୋଲିସ !

31

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ରାଜଧାନୀରେ ଚାଲୁଥିବା ଡାନ୍ସ ବାର ଉପରେ କାହିଁକି ହଠାତ୍ ରେଡ୍ କରେ ପୋଲିସ । ଏହି ପ୍ରଶ୍ନ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଗତକାଲି ରାଜଧାନୀରେ ଏକ ଡାନ୍ସ ବାର ଉପରେ ଲାଇସେନ୍ସ ନଥିବା ଅଭିଯୋଗରେ ରେଡ୍ କରିଥିଲା କମିଶନରେଟ୍ ପୋଲିସ । କିନ୍ତୁ ପ୍ରକୃତ କଥା ହେଉଛି, ମୂଳରୁ ହିଁ କୌଣସି ଡାନ୍ସ ବାରର ଲାଇସେନ୍ସ ନାହିଁ ।

ସଞ୍ଜ ନଇଁଲେ ରାଜଧାନୀର ରାତି ରଙ୍ଗୀନ ହୋଇଯାଏ । ଖାସ କରି ଡ୍ୟାନ୍ସ ବାର ଗୁଡିକରେ ଜମେ ମଦ ଆଉ ନାଚର ଆସର । ଗ୍ରାହକ ପେଗ୍ ପରେ, ପେଗ୍ ନେଉଥାନ୍ତି, ଆଉ ଏପଟେ ସୁନ୍ଦରୀ ଯୁବତୀ ମାନେ ନାଚର ଆସର ଜମାଉଥାନ୍ତି । ଗ୍ରାହକ ମତୁଆଲା ହେଉଥାଏ ଆଉ ଏପଟେ ବାର ବାଲାଙ୍କର ପକେଟ ବି ଗରମ ହେଉଥାଏ । ବୁଧବାର ରାତିରେ ମଧ୍ୟ ଅନୁରୁପ ଢଙ୍ଗରେ ରିୱାଇଂଡ ବାରରେ ମଦୁଆ ନାଚର ଆସର ଜମିଥାଏ । ଠିକ୍ ଏହି ସମୟରେ ବାର ଭିତରକୁ ଧସେଇ ପସିଥିଲା କମିଶନରେଟ ପୁଲିସ । ପୁଲିସକୁ ଦେଖିବା ମାତ୍ରେ ଗ୍ରାହକ ଓ ବାର କର୍ମଚାରୀ ହଡବଡେଇ ଯାଇଥିଲେ ।

ପୁଲିସ ବାର ଭିତରେ ପସି ତନତନ କରି ଯାଞ୍ଚ କରିବା ଆରମ୍ଭ କରିଦେଲା । ପୁଲିସକୁ ଦେଖି ସେଠାରେ ଡ୍ୟାନ୍ସ କରୁଥିବା ଯୁବତୀମାନେ ମଧ୍ୟ ଦୌଡି ଯାଇ ଲୁଚି ଯାଇଥିଲେ । ତେବେ ମହିଳା ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଡ୍ୟାନ୍ସବାରରେ କାମ କରୁଥିବା ୯ଜଣ ଯୁବତୀଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଲା ।

ଡ୍ୟାନ୍ସ ବାର ଚଳାଇବା ପାଇଁ ସରକାରୀ ଅନୁମତି ବା ଲାଇସେନ୍ସର ଆବଶ୍ୟକତା ପଡିଥାଏ । କିନ୍ତୁ ରିୱାଇଂଡ ବାର ବିନା ଲାଇସେନ୍ସରେ ଏହି ବାର ଚଳାଉଥିଲା । ଏହି ଖବର ପାଇବା ପରେ ଚଢାଉ କରି ଦେଇଥିଲା କମିଶନରେଟ ପୁଲିସ ।ଏହିଭଳି ବାର୍ ରାଜଧାନୀରେ ନୂଆ ନୁହେଁ । ବର୍ଷ ବର୍ଷ ଧରି ରାଜଧାନୀରେ ଚାଲିଛି ଡ୍ୟାନ୍ସ ବାର୍ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ହଠାତ୍ ମଝିରେ କମିଶନରେଟ ପୁଲିସର ଡ୍ୟାନ୍ସ ବାର କଥା କାହିଁକି ମନେ ପଡିଯାଏ?