ଜଗତପୁରରେ ପୋଲିସର ଅଚାନକ ଚଢ଼ାଉ ! ୬ରୁ ୭ ଟ୍ରକ୍ ବେଆଇନ୍ ବାଣ ଜବତ, ଗାଁ ସିଲ୍, ୭ପ୍ଲାଟୁନ ଫୋର୍ସ ମୁତୟନ ।

116

କନକ ବ୍ୟୁରୋ : ଆଗକୁ ଆସୁଛି ଦୀପାବଳୀ । ଦୀପାବଳୀ ପୂର୍ବରୁ ବଢ଼ୁଛି ବେଆଇନ ବାଣ କାରବାର । ଜଗତପୁର ତ୍ରିଲୋଚନପୁର ଅଂଚଳରେ ପୋଲିସ ଚଢ଼ାଉ କରିଛି । ବିପୁଳ ପରିମାଣର ବାଣ ଜବତ କରିବା ସହ ଗାଁକୁ ସିଲ୍ କରିଛି ପୋଲିସ୍ । ୬ରୁ ୭ଟି ଟ୍ରକରେ ବେଆଇନ ଭାବେ ଗଛିତ ଥିବା ବାଣକୁ ଜବତ କରିଛି ଜଗତପୁର ପୋଲିସ୍ । ବାଣର ମୂଲ୍ୟ ଆନୁମାନିକ ୩୦ରୁ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଲାଗି ରହିଛି ଉତ୍ତେଜନା । ସୁରକ୍ଷା ଦୃଷ୍ଟିରୁ ଗାଁରେ ୭ପ୍ଲାଟୁନ ଫୋର୍ସ ମୂତୟନ କରିଛି ପୋଲିସ୍ ।

ସୂଚନା ଅନୁଯାୟୀ, ବେଆଇନ ବାଣ କାରବାର ମାମଲାକୁ ନେଇ ପୁରା ଗାଁକୁ ସିଲ୍ କରିଛି ପୋଲିସ । ଏସିପିଙ୍କ ନେତ୍ୃତ୍ୱରେ ପୋଲିସ ବାହିନୀ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି । ବିଭିନ୍ନ ସ୍ଥାନରେ ଘରେ ଘରେ ଏବଂ ଘରେ ପଛ ପଟେ ଥିବା ବୁଦା ମାନଙ୍କରେ ବାଣ ଲୁଚା ଯାଇ ରଖାଯାଇଥିବା ଜଣାପଡିଛି । ତେବେ ଏସବୁ ବାଣ ବେଆଇନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି । କମିଶନରେଟ ପୋଲିସର ବିନା ଲାଇସେନ୍ସରେ ଏମାନେ ବାଣ କାରବାର କରୁଥିବା ଜଣାପଡିଛି । ଘଟଣାରେ କେହି ଗିରଫ ହୋଇନଥିଲେ ମଧ୍ୟ ଏତେ ପରିମାଣରେ ବାଣ କେଉଁଠୁ ଆସିଲା, ସେନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଖୁବ ଶିଘ୍ର ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।