ରିପୋର୍ଟ ପଢାଇଲେ, ସନ୍ଦେହ ବଢାଇଲେ: ବିଳମ୍ବରେ ଆସିଲା ନବରଙ୍ଗପୁର ନାବାଳିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । କପି ଦେଲେନି, ପରିବାର ଲୋକଙ୍କୁ ପଢି ଶୁଣାଇଲେ ପୋଲିସ । ଦୁଷ୍କର୍ମ ନୁହେଁ ଖାଲି ହତ୍ୟା ହୋଇଥିବା ରିପୋର୍ଟରେ ଉଲ୍ଲେଖ

244

କନକ ବ୍ୟୁରୋ: ବିଳମ୍ବରେ ହେଲେ ସୁଦ୍ଧା ନବରଙ୍ଗପୁର କୋଷାଗୁମୁଡା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ତେବେ ଏହାକୁ ପରିବାର ଲୋକଙ୍କୁ ଦିିଆଯାଇ ନାହିଁ । ବରଂ ପରିବାରର ଉପସ୍ଥିତିରେ ରିପୋର୍ଟକୁ ପଢି ଶୁଣାଇଛି ପୋଲିସ । ଏହାବାଦ ପୋଷ୍ଟମର୍ଟମ ରିପୋର୍ଟରେ ନାବାଳିକାଙ୍କୁ କେବଳ ତଂଟି ଚିପି ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ନାବାଳିକାଙ୍କ ପରିବାର । ଘଟଣାସ୍ଥଳର ପରିସ୍ଥିତିରୁ ନାବାଳିଙ୍କାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡୁଥିଲେ ବି ପୋଷ୍ଟମର୍ଟମ ରିପୋର୍ଟରେ ଏହା କାହିଁକି ଉଲ୍ଲେଖ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ଗତ ୧୩ ତାରିଖ ରାତିରେ ନାବାଳିକା ପରିସ୍ରା କରିବାକୁ ଘରୁ ବାହାରକୁ ଆସି ନିଖୋଜ ହୋଇଯାଇଥିଲେ । ପରଦିନ ସକାଳୁ ଗାଁ ଠାରୁ ପ୍ରାୟ ୩ଶହ ମିଟର ଦୂରରେ ଥିବା ଏକ ଜମିରୁ ଉଦ୍ଧାର ହୋଇଥିଲା ନାବାଳିକାଙ୍କ ମୃତଦେହ । ଘଟଣାସ୍ଥଳରେ ଦୁଇଟି ପୁରୁଷ ଜିନ୍ସ ପ୍ୟାଂଟ ଓ ହଳେ ଚପଲ ପଡିଥିବା ଦେଖିବାକୁ ମିଳିବା ପରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ସନ୍ଦେହ ଦୃଢୀଭୂତ ହୋଇଥିଲା । ସେତେବେଳେ ମୃତଦେହକୁ ଦେଖିଥିବା ନାବାଳିକାଙ୍କ ମାଆ ଦୁଷ୍କର୍ମ ହୋଇନଥିବା କଥାକୁ ଆଦୌ ଗ୍ରଣହ କରିପାରି ନାହାନ୍ତି ।

ପୁରା ଘଟଣାରେ ମୂଳରୁ ପୋଲିସର ଭୂମିକାକୁ ନେଇ ସନ୍ଦେହ ରହିିଛି । ତେଣୁ ଆଗାମୀ ଜାନୁଆରୀ ୪ ତାରିଖ ସୁଦ୍ଧା ଦୋଷୀଙ୍କୁ ଗିରଫ ନକଲେ କୋଷାଗୁମୁଡା ବନ୍ଦ କରିବାକୁ ଚେତାବନୀ ଦେଇଛି ଖ୍ରୀଷ୍ଟିୟାନ ସମାଜ । ସେପଟେ ପୂର୍ବରୁ ଏହି ପ୍ରସଙ୍ଗରେ ନବରଙ୍ଗପୁର ବନ୍ଦ ପାଳନ କରିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ତେବେ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦେବାରେ ବିଳମ୍ବ ହୋଇଥିବାରୁ ଅନେକ ପ୍ରଶ୍ନ ଉଠୁଛି ।

– ପୋଷ୍ଟମର୍ଟମ ରିପୋର୍ଟ ଦେବାରେ ଏତେ ବିଳମ୍ବ କାହିଁକି ହେଲା ?
– ରିପୋର୍ଟ କପି ନଦେଇ କେବଳ ପଢି ଶୁଣାଇବାର କାରଣ କ’ଣ ?
– ଘଟଣାସ୍ଥଳର ସ୍ଥିତି ଓ ପୋଷ୍ଟମର୍ଟମ ରିପୋର୍ଟରେ ସମାନତା ନାହିଁ ?
– ଦୁଷ୍କର୍ମ ହୋଇନଥିଲେ ଘଟଣାସ୍ଥଳରୁ ପୁରୁଷ ଜିନ୍ସ ପ୍ୟାଂଟ ଆସିଲା କୁଆଡୁ ?