କୋଣାର୍କ ଜେଏମଏଫସି କୋର୍ଟରେ ହାଜର ହେଲେ ଅଭିଜିତ ଆୟର । ୨ ଦିନିଆ ରିମାଣ୍ଡ ପରେ କୋର୍ଟକୁ ଆଣିଲା ପୁଲିସ । ଜାମିନ ଆବେଦନ ଖାରଜ ପରେ ପୁଣି ଫେରିଗଲେ ଜେଲ

43

କନକ ବ୍ୟୁରୋ: କୋଣାର୍କ ଜେଏମଏଫସି କୋର୍ଟରେ ହାଜର ହେଲେ ଅଭିଜିତ ଆୟାର । ୨ଦିନିଆ ରିମାଣ୍ଡ ପରେ ତାଙ୍କୁ ଆଜି ହାଜର କରାଯାଇଛି । ପୁଣି ଥରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । କଡା ସୁରକ୍ଷା ଭିତରେ ଆୟାର ଅଣାଯାଇ ହାଜର କରାଯାଇଛି । ଅଭିଜିତ୍ ଆୟର, କୋଣାର୍କ ସମ୍ପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ଓ ବିବାଦୀୟ ଭିଡିଓକୁ ନେଇ ପୋଲିସ ତାଙ୍କୁ ରିମାଣ୍ଡ ସମୟରେ ପଚରା ଉଚରା କରିଛି । କେଉଁ ଉଦ୍ଦେଶ୍ୟରେ ଏବଂ କାହା ପ୍ରରୋଚନାରେ ଅଭିଜିତ୍ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ସେ ନେଇ ପ୍ରଶ୍ନ କରିିଛି କୋଣାର୍କ ପୋଲିସ ।

ବିଶ୍ବ ଐତିହ୍ୟ କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ଓଡ଼ିଶା ସଂପର୍କରେ ବିବାଦୀୟ ମନ୍ତବ୍ୟ ରଖିଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ପୁରୀ ପୁଲିସ ମାରାଥନ୍ ଜେରା କରିଥିଲା । ତଦନ୍ତକାରୀ ଅଧିକାରୀ (କୋଣାର୍କ ଥାନା ଅଧିକାରୀ)ଙ୍କ ସହିତ କିଛି ବରିଷ୍ଠ ପୁଲିସ ଅଧିକାରୀ ଅଭିଜିତଙ୍କୁ ବିଭିନ୍ନ ବିଷୟରେ ଗୁଡ଼େଇ ତୁଡ଼େଇ ଜେରା କରିଥିଲେ। ଆୟାର କେବେ ଆସିଥିଲେ, ଓଡ଼ିଶାର କେଉଁ ସ୍ଥାନକୁ ଗସ୍ତ କରିଥିଲେ, ସାଥୀରେ କିଏ ଥିଲେ ଏମିତି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା।

abhijeet

ଅଭିଜିତ ମଧ୍ୟ ସବୁ ଉତ୍ତର ରଖିଥିଲେ। ସେ ହେଲିକପ୍ଟରରେ କୋଣାର୍କ ଓ ପୁରୀ ଦେଇ ସିଧା କେନ୍ଦ୍ରାପଡା ଯାଇଥିବା କହିଛନ୍ତି। ଚିଲିକାରେ ଅବତରଣ କରିନଥିଲେ। ତେବେ ସେଠାରୁ ଏକ କାର୍ ଯୋଗେ ବନ୍ଧୁମାନଙ୍କ ସହିତ ଭୁବନେଶ୍ବର ଫେରିଥିଲେ। ଭୁବନେଶ୍ବର ଫେରିବା ବାଟରେ ଯାଜପୁର ଲଳିତଗିରି ନିକଟରେ ଭୋଜନ କରିଥିଲେ। ପରେ ଭୁବନେଶ୍ବର ଆସିଥିଲେ। ତେବେ ସେ ଅନ୍ୟ ଏକ ଦିନ ଓଡ଼ିଶାର ଶିମିଳିପାଳ ଓ କୋଣାର୍କ ମନ୍ଦିରକୁ କାର ଯୋଗେ ବୁଲିବାକୁ ଯାଇଥିଲେ। କୋଣାର୍କ ସଂପର୍କରେ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ନେଇ ଅନୁତପ୍ତ ବୋଲି ପୁଲିସକୁ କହିଛନ୍ତି। ଏଥିରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା। କେବଳ ମଜାଳିଆ ଢଙ୍ଗରେ ଭିଡ଼ିଓ କରି ଏହାକୁ ସେ ଟୁଇଟରରେ ଛାଡିଥିଲେ।