ମିଳିଲା ୨ ନିଖୋଜ କଂଗ୍ରେସ ବିଧାୟକଙ୍କ ପତ୍ତା । ବେଙ୍ଗଳୁରୁର ହୋଟେଲ ଗୋଲ୍ଡ ଫିଂଚରେ  ଆନନ୍ଦ ସିଂ ଓ ପ୍ରତାପ ଗୌଡା ଥିବା ସୂଚନା

29

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଆସିବା ପରଠାରୁ ନିଖୋଜ ହୋଇଯାଇଥିବା କଂଗ୍ରେସର ଦୁଇ ବିଧାୟକଙ୍କର ପତା ମିଳିଛି । ବେଙ୍ଗାଲୁରୁର ହୋଟେଲ ଗୋଲ୍ଡ ଫିଂଚରେ ନିଖୋଜ ଦୁଇ କଂଗ୍ରେସ ନେତା ତଥା ଆନନ୍ଦ ସିଂ ଏବଂ ପ୍ରତାପ ଗୌଡ ଥିବା ପୁଲିସକୁ ସୂଚନା ମିଳିଛି ।

ଉଲ୍ଲେଖ ଥାଉ କି, ସଂଖ୍ୟା ଗଣିତରେ ଫେଲ ମାରିବା ଭୟରେ ବିଜେପି ଏହି ଦୁଇ ନେତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଥିଲା କଂଗ୍ରେସ । ତାଙ୍କ ବିରୋଧରେ ଆୟକର ଓ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତର ଭୟ ଦେଖାଇ ବିଜେପି ନିଜ ସପକ୍ଷରେ ଭୋଟ ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା । ଆନନ୍ଦ ସିଂହଙ୍କୁ ବିଜେପି ଅଜଣା ସ୍ଥାନରେ ନେଇ ଅଟକ ରଖିଛି ଓ ଫ୍ଲୋର ଟେଷ୍ଟ ସମୟରେ ତାଙ୍କୁ ହାଜର କରିବାକୁ ଚକ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ ବାଢିଥିଲେ । କିନ୍ତୁ ଆନନ୍ଦ ଫ୍ଲୋର ଟେଷ୍ଟ ସମୟରେ କଂଗ୍ରେସ-ଜେଡିଏସ ମେଂଟକୁ ସମର୍ଥନ କରିବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।

ସେହିପରି ମାସ୍କି ଆସନରୁ ବିଜୟୀ କଂଗ୍ରେସ ବିଧାୟକ ପ୍ରତାପ ଗୌଡା ପାଟିଲ ଗତ ବୁଧବାର ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ । ରାଜ୍ୟପାଳଙ୍କୁ ଦିଆଯାଇଥିବା ବିଧାୟକଙ୍କ ତାଲିକାରେ ଦସ୍ତଖତ ବି କରିଥିଲେ । ହେଲେ ଗୁରୁବାରଠାରୁ ସେ ନିଖୋଜ ଥିବା ଅଭିଯୋଗ ଆସିଥିଲା ।