ସନ୍ଧ୍ୟା ଦର୍ଶନ ବେଳେ ଭିଡ ଭିତରେ ମହିଳାଙ୍କୁ ଅସଦାଚରଣ କଲେ ପୋଲିସ କର୍ମଚାରୀ ! ଫେସବୁକରେ ପୋଷ୍ଟ କଲେ ଘଟଣା ଦେଖିଥିବା ମହିଳା

33

କନକ ବ୍ୟୁରୋ : ଜଗନ୍ନାଥ ଧାମରେ ମହିଳାଙ୍କୁ ଅସଦାଚରଣ । ଗତକାଲି ସଂଧ୍ୟା ଦର୍ଶନବେଳେ ମହିଳା ଓ ଯୁବତୀଙ୍କୁ ପୋଲିସ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ନିୟୋଜିତ ହୋଇଥିବା ଓଡିଶା ଅଗ୍ଜିଲାରି ଫୋର୍ସ ଓ ପୋଲିସ କର୍ମଚାରୀମାନେ ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏନେଇ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଛନ୍ତି ଜଣେ ମହିଳା । କିଭଳି ଭିଡର ସୁଯୋଗ ନେଇ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ, ସୁରକ୍ଷାରେ ମୁତୟନ ପୋଲିସ କର୍ମଚାରୀ ଛୁଉଁଛନ୍ତି ସେନେଇ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

ତେବେ ଏଭଳି ଲଜ୍ଜାଜନକ ଘଟଣା ଦେଖି ସେ ଚୁପ ବସିନଥିଲେ । ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଜଣେ ପୋଲିସ କର୍ମଚାରୀଙ୍କ କଲର ଧରି ଭିଡି ଆଣିଥିଲେ ଓ ଚାପୁଡା କଷି ଦେଇଥିଲେ । ତାଙ୍କର ଏଭଳି ଦୁଃସାହସ ପାଇଁ ସେଠାରେ ଥିବା କିଛି ମହିଳା ଓ ବୟସ୍କ ବ୍ୟକ୍ତି ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏ ପ୍ରସଙ୍ଗରେ ଫେସବୁକରେ ପୋଷ୍ଟ କରି ଉଚିତ କରିଛନ୍ତି କି ନା, ସେନେଇ ଦ୍ୱନ୍ଦ୍ୱରେ ଥିବା ଉଲ୍ଲେଖ କରିଛନ୍ତି ।

କିନ୍ତୁ ଶ୍ରୀକ୍ଷେତ୍ରକୁ ଯାଉଥିବା ମହିଳା ଓ ଯୁବତୀମାନଙ୍କୁ ତାଗିଦ କରିଦେଇଛନ୍ତି ଯେ, ଏଭଳି ଦୁର୍ବ୍ୟବହାରକାରୀ ପୋଲିସ ଅଧିକାରୀଙ୍କଠାରୁ ନିଜକୁ ରକ୍ଷା କରିବେ ନିଶ୍ଚୟ । ସୋସିଆଲ ମିଡିଆରେ ମହିଳାଙ୍କ ଏହି ପୋଷ୍ଟ ଜଗନ୍ନାଥ ଧାମ, ରଥଯାତ୍ରା ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ଏନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନଥିବା ସେ କହିବା ସହ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟିଂ ସଂପର୍କରେ ମଧ୍ୟ ଜାଣିନଥିବା କହିଛନ୍ତି । ଗଣମାଧ୍ୟମରୁ ଘଟଣା ସଂପର୍କରେ ଜାଣିବା ପରେ, ଅନୁସନ୍ଧାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି