ବିଜେପି କର୍ମୀ ପହଞ୍ଚିଲା ବେଳକୁ ପଡ଼ି ଯାଇଥିଲା ତାଲା! କିଏ ଚୋରି କଲା ବିଜେପି ଫର୍ମୁଲା?

ଦୁଇ ଦଳଙ୍କୁ ଏବେ କୁଆଡ଼େ ଘାରିଛି ବେକାରୀ ସମସ୍ୟା ଚିନ୍ତା ବୋଲି ଖଟିରେ ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏମ୍ପେ୍ଲାମେଂଟ ଏକ୍ସଚେଂଜ କାର୍ଯ୍ୟାଳୟକୁ ତାଲା ପକାଇଲେ ସେପଟେ ବିଜେଡ଼ି ମଧ୍ୟ କେନ୍ଦ୍ର ପିଏସୟୁ ଆଗରେ ଧାରଣା ଦେଇଛନ୍ତି ।

195

କନକ ବ୍ୟୁରୋ: ନିର୍ବାଚନର ଋତୁ ପାଖେଇ ଆସୁଥିବାବେଳେ ଉଭୟ ଶାସକ ଓ ବିରୋଧୀ ଉଠାଇଥାନ୍ତି ଅନେକ ସ୍ୱର । କିଏ ଶିକ୍ଷା,ସ୍ୱାସ୍ଥ୍ୟକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚାହୁଁଛି ତ କିଏ ଅନ୍ୟାନ୍ୟ ପ୍ରସଙ୍ଗକୁ ମୂଳ ମୁଦ୍ଧା କରୁଛନ୍ତି । ତେବେ ଏହାରି ମଧ୍ୟରେ ବେକାରୀ ସମସ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ଧରିଛି । ଆଉ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡି ସହିତ ପ୍ରମୁଖ ବିରୋଧୀ ବିଜେପି ।

ଦୁଇ ଦଳଙ୍କୁ ଏବେ କୁଆଡ଼େ ଘାରିଛି ବେକାରୀ ସମସ୍ୟା ଚିନ୍ତା ବୋଲି ଖଟିରେ ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏମ୍ପେ୍ଲାମେଂଟ ଏକ୍ସଚେଂଜ କାର୍ଯ୍ୟାଳୟକୁ ତାଲା ପକାଇଲେ ସେପଟେ ବିଜେଡ଼ି ମଧ୍ୟ କେନ୍ଦ୍ର ପିଏସୟୁ ଆଗରେ ଧାରଣା ଦେଇଛନ୍ତି । କିନ୍ତୁ ବିଜେପି ଯୁବ ମୋର୍ଚ୍ଚା ଆସିବା ପୂର୍ବରୁ ଏମ୍ପେ୍ଲାମେଂଟ ଏକ୍ସଚେଂଜ କାର୍ଯ୍ୟାଳୟରେ ସଟର ପକାଇ ପୁଲିସ  ତାଲା ପକାଇଦେଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ତେଣୁକରି ବିଜେପି ଯୁବ ମୋର୍ଚ୍ଚା ଏମ୍ପେ୍ଲାମେଂଟ ଏକ୍ସଚେଂଜ କାର୍ଯ୍ୟାଳୟ ବୋର୍ଡରେ କଳାବୋଳିବା ସହ କଡା ସରକ୍ଷା ବଳୟକୁ ଭାଙ୍ଗି ଧସେଇ ହୋଇ ପଶିଥିଲେ । ଏପରିକି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପରିବର୍ତେ ରାଜ୍ୟ ସରକାର ତାଙ୍କ ସହ ପ୍ରତାରଣା କରୁଥିବା ବିଜେପି ଅଭିଯୋଗ କରିଛି । ତେବେ ଉଭୟ ଦଳଙ୍କ କଳିରେ କାହାର ଫାଇଦା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ବିଜେଡ଼ିର ଯୁବ-ଛାତ୍ର ନେତାମାନେ ବିଜେପିକୁ କାଉଣ୍ଟର କରିବାକୁ ରଣନୀତି କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପିଏସୟୁ କାର୍ଯ୍ୟାଳୟ ଓ ପ୍ଲାଂଟ ସମ୍ମୁଖରେ ବିଜେଡି ତରଫରୁ ବିକ୍ଷୋଭ କରାଯିବ । ବିଜେଡ଼ିର ଦାବି ବେକାର ଯୁବକ ଯୁବତୀଙ୍କୁ କେନ୍ଦ୍ର ଅବହେଳା କରୁଛି । ତେବେ ପ୍ରକୃତରେ ବେକାରୀ ଚିନ୍ତା ନା ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଖଟିରେ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଲା ଯେ ବିଜେପି ଆଗରୁ ତାଲା ପକା ଅଭିଯାନ କରିବା ନେଇ ଘୋଷଣା କରିଥିଲେ ମଧ୍ୟ ପୋଲିସ ବିଜେପିର ଏହି ଯୋଜନାକୁ ଭଣ୍ଡୁର କରିଦେଇଛି । ବିଜେଡ଼ି ସରକାରଙ୍କ ଇଂଗିତରେ ପୋଲିସ ଏଭଳି କିରିଛି ବୋଲି ଖଟିରେ ଚର୍ଚ୍ଚା ହେଉଛି ।