ପୋଲିସ ହେବ ତ ଏମିତି ! ଟ୍ରେନରୁ ପଡି ଯାଇଥିବା ଆହତ ଯୁବକଙ୍କୁ କାନ୍ଧରେ ଧରି ଦେଢ କିଲୋମିଟର ଦୌଡିବା ପରେ ପହଞ୍ଚାଇଲେ ହସ୍ପିଟାଲରେ, ସୋସିଆଲ ମିଡିଆରେ ପାଲଟିଲେ ହିରୋ

304

ପୋଲିସ ହେବ ତ ଏମିତି । ମଧ୍ୟପ୍ରଦେଶ ହୋସଙ୍ଗାବାଦର ପୋଲିସକର୍ମୀ ନିଜ ସାହସିକତା ବଳରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କର ଜୀବନ ବଞ୍ଚାଇଛନ୍ତି । ପୋଲିସ କର୍ମୀ ପୁନମ ଚନ୍ଦ୍ର ବିଲ୍ଲୋର ଚଳନ୍ତା ଟ୍ରେନରେ ତଳକୁ ପଡିଯାଇଥିବା ଜଣେ ଆହତ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ପ୍ରାୟ ଦେଢ କିଲୋମିଟର ରେଳ ଧାରଣାରେ ଦୌଡିବା ପରେ ହସ୍ପିଟାଲରେ ପହଞ୍ଚାଇଥିଲେ । ଆଉ ଠିକ୍ ସମୟରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଯୋଗୁଁ ଉକ୍ତ ବ୍ୟକ୍ତିଙ୍କର ଜୀବନ ରକ୍ଷା ପାଇଯାଇଥିଲା ।

ମଧ୍ୟପ୍ରଦେଶର ହୋସଙ୍ଗାବାଦରୁ ପାଖାପାଖି ୬୦ କିଲୋମିଟର ଦୂରରେ ଶନିବାର ଭାଗଲପୁର ଏକ୍ସପ୍ରେସରୁ ଜଣେ ବ୍ୟକ୍ତି ତଳକୁ ପଡି ଯାଇଥିଲେ । ଚଳନ୍ତା ଟ୍ରେନରୁ ଖସି ପଡିବା କାରଣରୁ ଉକ୍ତ ବ୍ୟକ୍ତିଙ୍କୁ ଗଭୀର ଆଘାତ ଲାଗିଥିଲା । ଏହି ଘଟଣା ଜଣାପଡିବା ପରେ ରେଳବିଭାଗ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ମିଳିବା ପରେ ଡ୍ୟୁଟିରେ ଥିବା ପୋଲିସ କର୍ମୀ ପୁନମ ଚନ୍ଦ୍ର ବିଲ୍ଲୋର ଓ ଗାଡି ଚାଳକ ରାହୁଲ ସାକଲ୍ଲେ ଘଟଣସ୍ଥଳ ଅଭିମୁଖେ ବାହାରିଥିଲେ । ତେବେ ଘଟଣାସ୍ଥଳରୁ ପ୍ରାୟ ଦେଢ କିଲୋମିଟର ପୂର୍ବରୁ ଗାଡି ଯାଇ ପାରିବ ନାହିଁ ବୋଲି ଜାଣିବା ପରେ ଚାଲି ଚାଲି ଘଟଣାସ୍ଥଳରେ ପହଞ୍ଚିଥିଲେ ପୁନମ । ସେଠାରେ ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କୁ ଦେଖିବା ପରେ କାଳବିଳମ୍ବ ନ କରି ତତକ୍ଷଣାତ କାନ୍ଧ ଉପରେ ପକାଇ ଗାଡି ପାଖକୁ ଦୌଡିଥିଲେ ।

ପାଖାପାଖି ଦେଢ କିଲୋମିଟର ରେଳ ଟ୍ରାକରେ ଦୌଡିବା ପରେ ଗାଡି ପାଖରେ ପହଞ୍ଚିଥିଲେ ପୁନମ । ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ପୋଲିସ କର୍ମୀଙ୍କ ଏଭଳି ସାହସିକତା ଯୋଗୁଁ ବଞ୍ଚି ଯାଇଥିଲା ଉକ୍ତ ବ୍ୟକ୍ତିଙ୍କ ଜୀବନ । ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଧ୍ୟପ୍ରଦେଶ ପୋଲିସ ଡିଜି ବିକେ ସିଂ ସାହସୀ ପୋଲିସ ଅଧିକାରୀ ପୁନମ ଚନ୍ଦ୍ରଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ।