ଯବାନଙ୍କ ଦାୟିତ୍ୱହୀନ କାମ ! ମହିଳା ବନ୍ଧୁଙ୍କୁ ଧରାଇଲେ ଏକେ-୪୭ ବନ୍ଧୁକ, ନିଲମ୍ବନ କଲା କମିଶନରେଟ୍ ପୁଲିସ୍ ।

316

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ଅବସରରେ ଗାନ୍ଧି ମାର୍ଗରେ ଯେତେବେଳେ ପରେଡ୍ ଚାଲିଥିଲା ସେତେବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଯବାନ ନିଜ ମହିଳା ବନ୍ଧୁଙ୍କୁ ଏକେ-୪୭ ବନ୍ଧୁକ ଦେଖିବା ପାଇଁ ଦେଇଥିଲେ । ସେହି ସମୟରେ ବନ୍ଧୁକରେ ଗୁଳି ଭର୍ତି ହୋଇ ରହିଥିଲା । ସାଧାରଣତନ୍ତ୍ର ଦିବସରେ ରେକର୍ଡ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି । ଏହାପରେ କାର୍ଯ୍ୟରେ ଅବହେଳା ପାଇଁ ଯବାନଙ୍କୁ ସସପେଣ୍ଡ କରାଯାଇଛି ।

ସାଧାରଣତନ୍ତ୍ର ଦିବସରେ ରାଜଧାନୀର ମହାତ୍ମାଗାନ୍ଧି ମାର୍ଗରେ ରେକର୍ଡ କରାଯାଇଥିବା ଏହି ଘଟଣାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଜଣେ ଯବାନଙ୍କ ପାଖରେ ଜଣେ ଯୁବତୀ ମାରତ୍ମକ ଏକେ- ୪୭ ବନ୍ଧୁକକୁ ନିରିଖି ନିରିଖି ଦେଖୁଛନ୍ତି । ବନ୍ଧୁକକୁ ବୁଲାଇ ବୁଲାଇ ବି ଦେଖୁଛନ୍ତି । ତାଙ୍କ ସହ ଆଉ ଜଣେ ଯୁବତୀ ବି ଅଛନ୍ତି । ଯବାନ ଜଣକ କିନ୍ତୁ ବ୍ୟସ୍ତ ହୋଇ ପଡୁଛନ୍ତି, କାଳେ କିଏ କେଉଁଠି ଦେଖିଦେବ । କିନ୍ତୁ ସେ ଜାଣି ନାହାଁନ୍ତି ଏସବୁ ଦୃଶ୍ୟ ମୋବାଇଲରେ ରେକର୍ଡ ହେଉଛି । ଖାଲି ମୋବାଇଲରେ ରେକର୍ଡ ହୋଇନି, ସେ ଜାଣିବା ବେଳକୁ ଭାଇରାଲ ହୋଇଯାଇଛି ଏହି ଭିଡିଓ । ଆଉ ଏହି ଘଟଣା ପରେ, କାଳ ବିଳମ୍ବ ନକରି ତାଙ୍କୁ ସସପେଣ୍ଡ କରି ଦିଆଗଲା ।

ରୁଷିଆରେ ନିର୍ମିତ ଏହି ଏକେ-୪୭ ବନ୍ଧୁକ ଲକ୍ଷ୍ୟ ଭେଦରେ ସବୁଠାରୁ ସଠିକ ବନ୍ଧୁକ ବୋଲି କୁହାଯାଏ । ୱିକିପିଡିଆର ତଥ୍ୟ ଅନୁସାରେ, ୧୦୦ ମିଟର ପର୍ଯ୍ୟନ୍ତ ମଣିଷ ଆକାରର ବସ୍ତୁକୁ ଲକ୍ଷ୍ୟ କରିବାକୁ ଚାହିଁଲେ ସେଥିରେ ଜମା ଭୁଲ ହେବ ନାହିଁ ବୋଲି କୁହାଯାଏ । ଏକାଥରକେ ୨୦ ରାଉଣ୍ଡ ଗୁଳି ନିକ୍ଷେପ  କରିପାରୁଥିବା ଏକେ-୪୭, ବର୍ତମାନ ୧୨ଟି ଦେଶର ସେନା ବ୍ୟବହାର କରନ୍ତି । ୮୦୦ ମିଟର ପର୍ଯ୍ୟନ୍ତ ସହଜରେ ଲକ୍ଷ୍ୟଭେଦ କରିପାରୁଥିବା ଏହି ରୁଷିୟ ବନ୍ଧୁକ ସେଥିପାଇଁ ସବୁଠାରୁ ମାରାତ୍ମକ ବୋଲି ବିଚାର କରାଯାଏ । ଯେତେବେଳେ ପରେଡ୍ ଚାଲିଥିଲା ସେତେବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଏହି ଯବାନ ଜଣକ ମହିଳା ବନ୍ଧୁଙ୍କୁ ଏକେ-୪୭ ଦେଖିବା ପାଇଁ ଦେଇଥିଲେ । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏହି ସମୟରେ ବନ୍ଧୁକରେ ଗୁଳି ଭର୍ତ୍ତି ହୋଇଥିଲା ।