ଗୋହତ୍ୟା ଅଭିଯୋଗ ଆସିବା ପରେ ଜଳିଲା ବୁଲନ୍ଦସହର । ଉତ୍ତ୍ୟକ୍ତ ଲୋକଙ୍କ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ପ୍ରାଣ ହରାଇଲେ ପୋଲିସ ଅଫିସର

178

ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଳାରେ ଗୋହତ୍ୟା ଅଭିଯୋଗ ସାମ୍ନାକୁ ଆସିବା ପରେ ଉଗ୍ର ରୂପ ଧରିଛି ହିଂସାକାଣ୍ଡ । ତାତି ଉଠିଛନ୍ତି ସ୍ଥାନୀୟ ଜନସାଧାରଣ । ଉତ୍ୟକ୍ତ ଲୋକ ଯେଉଁ ହିସାଂକାଣ୍ଡ ଭିଆଇଛନ୍ତି ସେଥିରେ ଜଣେ ପୋଲିସ ଇନସପେକ୍ଟର ଓ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏତିକିରେ ଥମି ନାହାନ୍ତି ଉତ୍ତ୍ୟକ୍ତ ଲୋକେ । ପୋଲିସ ଫାଣ୍ଡି ଜାଳିଦେବା ସହ ରାସ୍ତାରେ ଯାଉଥିବା ଗାଡି ମୋଟରରେ ନିଆଁ ଲଗାଇ ଦେଇଛନ୍ତି । ଆଉ ଏଭଳି ଘଟଣା ସେତେବେଳେ ହୋଇଛି ଯେତେବେଳେ ଏକ ଧାର୍ମିକ ସଭା ପାଇଁ ପାଖାପାଖି ୧୦ ଲକ୍ଷ ମୁସଲିମ ଲୋକ ଏକତ୍ରୀତ ହୋଇଛନ୍ତି ।

ଆଜି ସକାଳୁ ବୁଲନ୍ଦସହରରେ ୨୫ଟି ଗୋରୁଙ୍କର ମୃତଦେହ ଏକ ପଡିଆ ମଧ୍ୟରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଗୋରୁଙ୍କର ମୃତଦେହ ରଖି ରାସ୍ତା ଅବରୋଧ କରିବାକୁ ଚାହିଁବାରୁ ପୋଲିସ ସେମାନଙ୍କୁ ଘଉଡାଇଥିଲା । କିନ୍ତୁ ଏତେ ସଂଖ୍ୟକ ଭିଡକୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ ସମ୍ଭବପର ହୋଇନଥିଲା । ଅନ୍ୟପଟେ ପୋଲିସ ରାସ୍ତା ଅବରୋଧ କରିବାକୁ ଘଉଡାଇବାରୁ ଭିଡ ମଧ୍ୟରୁ ଉତ୍ତ୍ୟକ୍ତ ଲୋକମାନେ ଗୁଳି ଚାଳନା କରିବା ସହ ପଥର ଫିଙ୍ଗିଥିଲେ ।

ଉତ୍ତ୍ୟକ୍ତ ଲୋକମାନେ ପଥର ମାଡ କରୁଥିବା ବେଳେ ସେଠାରେ ଭିଡ ନିୟନ୍ତ୍ରଣ କରୁଥିବା ପୋଲିସ ଇନସପେକ୍ଟର ସୁବୋଧ କୁମାର ସିଂଙ୍କ ମୁଣ୍ଡରେ ପଥର ବାଜିଥିଲା । ପରେ ତାଙ୍କୁ ତତକ୍ଷଣାତ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏତେ ସଂଖ୍ୟାରେ ଲୋକଙ୍କ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଏଥିରେ ମଧ୍ୟ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଗୋ-ମୃତ୍ୟୁ ଓ ହିଂସାକାଣ୍ଡର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ଗଠନ କରିଛନ୍ତି। ସେହିପରି ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ୫ କମ୍ପାନୀ ରାପିଡ୍ ଆକ୍ସନ୍ ଫୋର୍ସ ଓ ୬ଟି କମ୍ପାନୀ ପ୍ରୋଭିନସିଆଲ୍ ଆର୍ମଡ୍ କନଷ୍ଟାବୁଲାରୀ ମୁତୟନ ହୋଇଛନ୍ତି।