ଟାର୍ଗେଟରେ ପୋଲିସ୍ : ୨୪ ଘଂଟାରେ କଟକର ଦୁଇଟି ସ୍ଥାନରେ ପୋଲିସକୁ ଅପରାଧୀଙ୍କ ଚ୍ୟାଲେଂଜ

17

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ୨୪ ଘଂଟାରେ କଟକର ଦୁଇଟି ସ୍ଥାନରେ ପୋଲିସକୁ ଅପରାଧୀଙ୍କ ଚ୍ୟାଲେଂଜ । ପୁଣି ଅଶାନ୍ତ ହୋଇଉଠିଛି କଟକ । ସିଲଭରସିଟି ଏବେ କ୍ରାଇମସିଟି । ପୁଣି ଫୁଟିଛି ଗୁଳି । ଏଥର ଅପରାଧୀଙ୍କ ଟାର୍ଗେଟରେ ପୋଲିସ । ହତ୍ୟାର ଶୀକାର ହୋଇଛନ୍ତି ଜଣେ ହୋମଗାର୍ଡ । ନଦୀ ପଠାରୁ ମିଳିଛି ହୋମଗାର୍ଡ କୀର୍ତିରଂଜନଙ୍କ ମୃତଦେହ । ତାଂକ ବେକ ଓ ମୁଣ୍ଡରେ ଗୁରୁତର କ୍ଷତ ଚିହ୍ନ ରହିଛି । ମୃତଦେହ ନିକଟରୁ ପୋଲିସ ଏକ ବନ୍ଧୁକ ଜବତ କରିଛି । ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ଯାଂଚ କରିଛି । ହେଲେ ଜଣାପଡୁନି ହତ୍ୟା ପଛର କାରଣ ।

ସେପଟେ ବାଙ୍କୀ କଳାବଜାରରେ ପୋଲିସ ଉପରକୁ ଗୁଳିମାଡ କରିଛନ୍ତି ଅପରାଧୀ । ଅପରାଧୀଙ୍କୁ ଧରିବାକୁ ଦୁଇ ଦିନ ହେଲା ଜାଲ ବିଛାଇଥିଲା ପୋଲିସ । ସକାଳୁ ଆରମ୍ଭ ହୋଇଥିଲା ଅପରେସନ୍ । ସ୍ପେଶାଲ୍ ଟିମ୍ ସହ ପର୍ଶୁରାମପୁର ଗାଁରେ ଚଢାଉ ହୋଇଥିଲା । ହେଲେ ଫେରାର ହେବାକୁ ଚେଷ୍ଟା କରିଥିଲେ ଅପରାଧୀ । ଘଂଟାଏ ଧରି ପୋଲିସ-ଅପରାଧୀ ମଧ୍ୟରେ ଚାଲିଥିଲା ଛକାପଂଝା । ଶେଷରେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ଅପରାଧୀ ।