ଛେଳିକୁ ନେଇ ତନାଘନା ! ରାଜନୈତିକ ଚାପରେ ଚୋରି ହୋଇଯାଇଥିବା ଛେଳିକୁ ଉଦ୍ଧାର କଲା ପୋଲିସ, ମାଲିକାଣୀ କହିଲେ ଏ ଛେଳି ସେ ଛେଳି ନୁହେଁ ।

295

ସିଟି ପୁଲିସ, ରେଳବାଇ ପୁଲିସ, ରାଜନୈତିକ ଚାପ ଓ ଦୁଇ ସହର- ସୁରତ ଓ ଅହମ୍ମଦାବାଦ ମଧ୍ୟରେ ଧାଆଁ ଧପଡ଼ ହୋଇ ଚଳା ଯାଇଥିବା ଏକ ଅଭିଯାନ ବଳରେ ସୁରତ ରେଳବାଇ ଷ୍ଟେସନରୁ ମୁମ୍ବାଇ ଅଭିମୁଖେ ବାହାରି ଥିବା ଏକ ଟ୍ରେନରୁ ଗୋଟାଏ ଛେଳି ଜବତ ହୋଇ ଅହମ୍ମଦାବାଦ ଅଣାଗଲା । କିନ୍ତୁ, ଶେଷକୁ ଜଣାପଡ଼ିଲା ସେଇଟା ପୁଲିସମାନେ ଖୋଜୁଥିବା ଅସଲ ଛେଳି ନୁହେଁ ।

ଘଟଣାଟି ଏମିତି: ନିକଟରେ ଅସରଓ୍ଵା ଅଞ୍ଚଳରୁ ଗୋଟାଏ ଛେଳି ଚୋରି ହୋଇଥିଲା ।  ଦେଖଣାହାରିମାନେ କହନ୍ତି, ଗୋଟାଏ ଧଳା ଇକୋ କାରରେ କେତେକ ଅଜ୍ଞାତ ବ୍ୟକ୍ତି ଛେଳିଟିକୁ ନେଇ ଯାଇଛନ୍ତି । ସେ ଅଞ୍ଚଳର ବିଧାୟକ ପ୍ରଦୀପ ପାରମର କହନ୍ତି, ଛେଳିଟି ବୃହଦାକାର ଏବଂ ତା’ର ମାଲିକାଣୀ ପାଟନି ପରିବାର ତାଙ୍କ ପୁଅ ବାହାଘରରେ ତାକୁ ବିକିବା ପାଇଁ ପାଳିଥିଲେ । ଛେଳି ଚୋରି ହୋଇଯିବା ପରେ ମତେ ଖବର ମିଳିଥିଲା । ମୁଁ ପୁଲିସକୁ କହିଲି । କିନ୍ତୁ, ସେ ପରିବାର କୁଆଡୁ ଖବର ପାଇଲେ କି, ସେ ଛେଳିଟିକୁ ଗାର୍ଡ କୋଚରେ ମୁମ୍ବାଇ ଚାଲାଣ କରାଯାଉଛି । ରେଳବାଇ ପୁଲିସକୁ ଖବର ଦିଆଯିବାରୁ ସେମାନେ ସୁରତରେ ଛେଳିଟିକୁ ଜବତ କରିଥିଲି । ପରେ ସେ ପରିବାର ସୁରତ ଯାଇ ଛେଳିଟିକୁ ଅହମଦାବାଦ ଆଣିଥିଲେ ।

ସେମାନେ ଗରିବ ପରିବାର ଏବଂ ଛେଳିର ମୂଲ୍ୟ ୮୦, ୦୦୦ ଟଙ୍କା ହୋଇଥିବାରୁ ମୁଁ ଛେଳିଟିକୁ ଖୋଜାଇବାକୁ ଉଦ୍ୟମ କରିଥିଲି । ୮୦ ହଜାର ବହୁତ ଗୁଡ଼ାଏ ଟଙ୍କା ହୋଇଥିବାରୁ ମୁଁ ଛେଳିଟିକୁ ଖୋଜାଇବାକୁ ସମସ୍ତଙ୍କୁ ଲଗାଇଥିଲି ବୋଲି ପାରମର କହନ୍ତି । ଛେଳିର ମାଲିକାଣୀ ମଧୁବେନ୍ କେଶଭାଇ କହନ୍ତି: ଆମ ବିଧାୟକ ପ୍ରଦୀପ ପାରାମରଙ୍କ ହସ୍ତକ୍ଷେପ ପରେ ଆମେ ସୁରତରୁ ଅହମଦାବାଦକୁ ଛେଳିଟିକୁ ଆଣିଲୁ । କିନ୍ତୁ, ଆଣିଲା ପରେ ଜାଣିଲୁ ଛେଳିଟିର କାନରେ ଏକ ନିର୍ଦ୍ଦିଷ୍ଟ ଚିହ୍ନ ଅଛି ଯାହା ଆମ ଛେଳିର କାନରେ ନ ଥିଲା । ତୁରନ୍ତ ଆମେ ମେଘନିନଗର ପୁଲିସ ସହ ଯୋଗାଯୋଗ କରି ଛେଳିଟିକୁ ଫେରାଇ ଦେଲୁ । ସେଇଟା ଆମ ଛେଳି ନୁହେଁ, ଆମେ କେମିତି ରଖି ଥାଆନ୍ତୁ ? ବୋଲି ମାଲିକାଣୀ କହନ୍ତି । ମେଘନିନଗର ପୁଲିସ କହେ ଯେ ତା’ପରେ ଛେଳିଟିକୁ ଥାନାକୁ ଅଣାଗଲା । ଛେଳିର ପ୍ରକୃତ ମାଲିକ ସମସ୍ତ କାଗଜପତ୍ର ସହ ଥାନାରେ ପହଞ୍ଚିଲାରୁ ଉପଯୁକ୍ତ ଯାଞ୍ଚ ପରେ ତାଙ୍କୁ ଛେଳିଟିକୁ ଫେରାଇ ଦିଆଗଲା ।