ସଫଳ ହେଲାନି ସରକାର-ଚାଷୀ ଆଲୋଚନା ! ଛିଣ୍ଡିଲାନି ଅଙ୍କ, ଦିଲ୍ଲୀ ସୀମାରେ ପୋଲିସ ସହ ମୁହାଁମୁହିଁ, ପାଣି ମାଡ ସହ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୋଲିସ ।

41

କନକ ବ୍ୟୁରୋ : ସରକାରଙ୍କ ସହ କୃଷକଙ୍କ ଆଲୋଚନା ସଫଳ ହେଲାନାହିଁ । ସରକାର ଓ କୃଷକଙ୍କ ମଧ୍ୟରେ ୪ଟି ଦାବିକୁ ନେଇ ସହମତି ହୋଇଥିବା ବେଳେ ମୁଖ୍ୟତଃ ଚାଷୀଙ୍କ ଋଣ ମାଫ ଓ ବିଜୁଳି ବିଲ୍ କମାଇବା ପ୍ରସଙ୍ଗରେ କିଛି ନିଷ୍ପତି ହୋଇପାରିନାହିଁ । ଆଜି ନିଜର ବିଭିନ୍ନ ଦାବି ନେଇ ଦିଲ୍ଲୀ ଆସିବାକୁ ପ୍ରୟାସ କରୁଥିବା ୨୫ହଜାର କୃଷକଙ୍କ ଦିଲ୍ଲୀ ସୀମା ଗାଜିଆବାଦରେ ରୋକିଥିଲା ପୋଲିସ । କୃଷକଙ୍କୁ ରୋକିବା ପାଇଁ ତାଙ୍କୁ ଉପରେ ଲାଠିଚାର୍ଜ, ପାଣି ମାଡ ଓ ଆଶୁ ଗ୍ୟାସ ପ୍ରୟୋଗ କରିଥିଲା । ଏପରିକି ସ୍ଥାନୀୟ ଅଂଚଳରେ ୧୪୪ଧାରା ଜାରି କରାଯାଇଥିଲା ।

ନିଜ ହକ୍ ପାଇଁ ଲଢୁଥିବା ଚାଷୀଙ୍କ ସ୍ୱର ଚାପିବାକୁ ପୁଲିସ ପ୍ରଶାସନର ପ୍ରୟାସ । ୨୫ହଜାର ଚାଷୀ ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ଆସୁଥିବା ବେଳେ ଦିଲ୍ଲୀ ସୀମାରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ଗାଜିଆବାଦରେ କୃଷକଙ୍କୁ ଅଟକାଇବା ପୋଲିସ ପାଣି ମାଡ କରିବା ସହ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ପୋଲିସ-କୃଷକଙ୍କ ମଧ୍ୟରେ ରାଜରାସ୍ତାରେ ଖଣ୍ଡଯୁଦ୍ଧ ହୋଇଛି । ଆଜି ପୋଲିସ ବ୍ୟାରିକେଡ ଭାଙ୍ଗି କୃଷକମାନେ ଆଗକୁ ଅଗ୍ରସର ହେବାକୁ ଗଲାବେଳେ ପୋଲିସ ସହିତ ସଂଘର୍ଷ ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଯେ ୧୪୪ଧାରା ଲାଗୁ କରାଯାଇଥିଲା । ୟୁପିରୁ ଦିଲ୍ଲୀ ଯାଉଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଥିଲା । ରାଜଘାଟ ଓ ସଂସଦ ମାର୍ଗରେ ବି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

୧୫ ଦଫା ଦାବିରେ ଦିଲ୍ଲୀରେ ଭାରତୀୟ କିଷାନ ୟୁନିୟନର କିଷାନ କ୍ରାନ୍ତି ପଦଯାତ୍ରା ୨୩ ସେପେଟମ୍ବରରୁ ହରିଦ୍ୱାରରୁ ଆରମ୍ଭ ହୋଇ ଗାଜିଆବାଦ ପଂହଚିଛି । ତେବେ କୃଷକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ କୃଷକ ନେତା । ଏବଂ କୃଷକଙ୍କ ୪ଟି ଦାବିକୁ ସରକାର ମାନି ନେଇଥିବା ସୂଚନା ମିଳିଛି । ତେବେ ଋଣ ମାଫ ଓ ବିଜୁଳି ବିଲ୍ କମ୍ କରିବା ଦାବି ଉପରେ କୌଣସି ନିଷ୍ପତି ନିଆଯାଇପାରିନାହିଁ । ସରକାର ମାନି ନେଇଥିବା ଦାବି ଗୁଡିକ ହେଲା ।

୧. କୃଷି ଉପକରଣକୁ ୫ପ୍ରତିଶତ ଜିଏସଟି ଅଧିନରେ ରଖିବା

୨. ଡିଜେଲରେ ଚାଲୁଥିବା ପୁରୁଣା ଟ୍ରାକ୍ଟରରୁ ଏନଜିଟି ବ୍ୟାନ ହଟାଇବା

୩. ଫସଲକୁ କମ୍ ଦାମ କିମ୍ବା ଭୁଲ୍ ପ୍ରକ୍ରିୟାରେ ବିକ୍ରିକୁ ରୋକିବା ପାଇଁ ସରକାର ନୂଆ ଆଇନ ଆଣିବେ

୪. କୃଷକକୁ ଫସଲ ବୀମା ମିଳିବ

ଆନ୍ଦୋଳନରତ କ଼ୃଷକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି ବିରୋଧୀ । କୃଷକ କାହିଁକି ନିଜ ସମସ୍ୟାକୁ ଦିଲ୍ଲୀରେ ଉପସ୍ଥାପନ କରିପାରିବେ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି । ଦେଶକୁ ଖାଦ୍ୟଶସ୍ୟ ଯୋଗାଉଥିବା କୃଷକ ନିଜ ଦାବି ଉପସ୍ଥାପନ କରିବାକୁ ଗଲା ବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କରାଯାଉଛି ।