ରାଜ୍ୟ ପୋଲିସର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ! ରହସ୍ୟରେ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଓ ଭୁବନେଶ୍ୱର ଉନ୍ମୟ ପାଢୀ ହତ୍ୟାକାଣ୍ଡ । ଚାଲାକ ଅପରାଧୀ ଛାଡିନାହାନ୍ତି କୌଣସି ସୁରାକ

38

କନକ ବ୍ୟୁରୋ : ଉଇ ପ୍ରୋଟେକ୍ଟ, ଉଇ କେୟାର ନାରା ଦେଉଥିବା ଓଡ଼ିଶା ପୁଲିସ ଏବଂ ଉଇ କେୟାର, ଉଇ ଡେୟାରର ନାରା ଦେଉଥିବା କମିଶନରେଟ୍ ପୁଲିସର ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ । ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ପୋଲିସ ହାତ ଖାଲି । ମୃତ୍ୟୁର ମାସେ ପରେ ବି ମିଳିିନି ଠୋସ୍ ସୁରାକ । ଏପଟେ ରହସ୍ୟ ଘେରରେ ଉନ୍ମୟ ହତ୍ୟାକାଣ୍ଡ । କୁଆଖାଇ ପଠାରେ କିଏ ଓ କାହିଁକି କଲା ହତ୍ୟା, ତା’ର ଟେର ପାଉନି ପୁଲିସ । ରାଜ୍ୟ ପୋଲିସ ବିଫଳତାର ଦୁଇଟି କାହାଣୀ । ଦୁଇଟିଯାକ ସୁଚିନ୍ତିତ ହତ୍ୟାକାଣ୍ଡ । ଗୋଟିଏରେ ହତ୍ୟାପାଇଁ ବ୍ୟବହାର ହୋଇଥିଲା ଉଚ୍ଚମାନର ବିସ୍ଫୋରକ । ଏବଂ ଅନ୍ୟଟି ଥିଲା ଏକ ଯୋଜନାବଦ୍ଧ ବିଭତ୍ସ ହତ୍ୟା ।

ଫେବ୍ରୁଆରୀ ୨୩ ତାରିଖରେ ଅଜ୍ଞାତ ସ୍ଥାନରୁ ଆସିଥିବା ଏକ ଉପହାରକୁ ଖୋଲିବାବେଳେ ହଠାତ ହୋଇଥିଲା ବିସ୍ଫୋରଣ । ଯେଉଁଥିରେ ଜଳିଗଲେ ନବ ବିବାହିତ ବର-ବଧୁଙ୍କ ସହ ପାଖରେ ଛିଡା ହୋଇଥିବା ସଂପର୍କୀୟ ଜେଜେମା । ବର ସୌମ୍ୟଶେଖର ଓ ଜେଜେମାଆଙ୍କ ମୃତ୍ୟୁ ହୋଇସାରିଥିବାବେଳେ, ବଧୁ ରିମା ଏବେ ବି କଟକ ଏସସିବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜୀବନ ସହ ଜୁଝୁଛନ୍ତି । ବଲାଙ୍ଗିର ପାଟ୍ଟଣାଗଡର ଏହି ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଜିଯାଏ କୌଣସି ଆଖିଦୃଶିଆ ସୁରାକ ମିଳିପାରି ନାହିଁ ।

– ଉପହାରଟି ସ୍କାଏକିଙ୍ଗ କୋରିଅର ଜରିଆରେ ରାୟପୁରରୁ ଆସିଥିଲା
– କେବଳ ଏତିକି ତଥ୍ୟ ଯୋଗାଡ କରିପାରିଥିଲା ପାଟ୍ଟଣାଗଡ ପୋଲିସ
– ବାସ୍ ସେହି ଖିଅକୁ ଧରି ତଦନ୍ତ ଚଳାଇଛି କ୍ରାଇମବ୍ରାଂଚର ଏସଆଇଟି
– ରିମାଙ୍କୁ ପଚରାଉଚରା ପରେ ବି ଖୋଲିନି ହତ୍ୟା ଷଡଯନ୍ତ୍ରର ରହସ୍ୟ

ଅନ୍ୟପଟେ ରହସ୍ୟ ଘେରରେ ଉନ୍ମୟ ହତ୍ୟାକାଣ୍ଡ । ମାର୍ଚ୍ଚ ୨୧ ତାରିଖରେ କୁଆଖାଇ ନଦୀପଠାରେ ଜାଳିଦିଆଯାଇଥିଲା ଉନ୍ମୟ ପାଢୀଙ୍କୁ । ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେଲା, ମୁଣ୍ଡକୁ ଆଘାତ ଦେବା ସହ ପେଟରେ ଛୁରି ଭୁଷିବା ପରେ ଜିଅନ୍ତା ଜାଳିଦେଇଥିଲେ ହତ୍ୟାକାରୀ । ଏପରିକି ହତ୍ୟାକାଣ୍ଡରେ ଏକାଧିକ ଅପରାଧୀ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ହେଲେ କିଏ ଓ କାହିଁକି ଉନ୍ମୟଙ୍କୁ ଏଭଳି ବିଭତ୍ସ ଭାବେ ହତ୍ୟାକଲା ସେନେଇ ପୋଲିସ କେବଳ ଅନ୍ଧାରରେ ବାଡି ବୁଲାଉଛି ।
– ଉନ୍ମୟଙ୍କ ହତ୍ୟା ଓ ସେ ଭାଇରାଲ କରିଥିବା ଭିଡିଓର କି ସଂପର୍କ?
– ଉନ୍ମୟଙ୍କ ସହ ଭିଡିଓରେ ନଜର ଆସିଥିବା ଯୁବତୀଙ୍କ ଭୂମିକା କ’ଣ?
– ଉନ୍ମୟଙ୍କୁ ଆଉ କେଉଁଠି ହତ୍ୟା କରି କୁଆଖାଇ ପଠାରେ ଜାଳିଦିଆଯାଇଥିଲା?
– ଏହି ପୁରା ହତ୍ୟା ଷଡଯନ୍ତ୍ରରେ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ ଶୂନ

ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ଦୁଇଟି ହତ୍ୟାକାଣ୍ଡର ପୋଲିସ ଓ ତଦନ୍ତକାରୀ ସଂସ୍ଥା କୌଣସି ଟେର ନପାଇବା ଅନେକ ସନ୍ଦେହ ସୃଷ୍ଟି କରୁଛି ।