ଘର ଢିଙ୍କି କୁମ୍ଭୀର… । ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଦିଲ୍ଲୀରେ ପହଞ୍ଚାଇବାକୁ ଡିଏସପି ଦେବେନ୍ଦ୍ର କରିଥିଲେ ଲକ୍ଷାଧିକ ଟଙ୍କାର ଡିଲ୍, ଦୁଇ ଆତଙ୍କବାଦୀଙ୍କ ସହ କାରରେ ଆସୁଥିବା ବେଳେ ଧରିଲା ପୋଲିସ ।

1,142

ଯଦି ଘର ଢିଙ୍କି କୁମ୍ଭୀର ହୁଏ ତେବେ କାହାକୁ ଭରସା କରିବ । ଠିକ୍ ସେହିଭଳି ଜଣେ ଗୃହଭେଦୀ ବିଭୀଷଣ ହେଉଛନ୍ତି ଜମ୍ମୁ-କାଶ୍ମୀରର ଡିଏସପି ଦେବେନ୍ଦ୍ର ସିଂ । ଯିଏ ଆତଙ୍କବାଦୀଙ୍କୁ ଦିଲ୍ଲୀ ପହଞ୍ଚାଇବାକୁ ଦେଶ ସହ ଧୋକା କରିବାକୁ ମଧ୍ୟ ଟିକିଏ ପଛାଇନଥିଲେ । ଜମ୍ମୁ-କାଶ୍ମୀରରୁ ହିଜବୁଲ ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବାର ଦୁଦ୍ଦାନ୍ତ ଆତଙ୍କବାଦୀଙ୍କ ସହ ଡିଏସପି ଦେବେନ୍ଦ୍ର ସିଂଙ୍କ ଲିଙ୍କ ନେଇ ଆଉ ଏକ ବଡ ସୁରାକ ପାଇଛି ପୋଲିସ । ଡିଏସପିଙ୍କୁ ଗିରଫ କରାଯିବା ପରେ ବଡ ଖୁଲାସା ହୋଇଛି । ଏହି ଆତଙ୍କବାଦୀଙ୍କୁ ଚଣ୍ଡିଗଡ ବାଟ ଦେଇ ଦିଲ୍ଲୀ ନେଇଯିବାକୁ ଲକ୍ଷାଧିକ ଟଙ୍କାର ଡିଲ୍ କରିଥିଲେ ଡିଏସପି । ଏପରିକି ସଂସଦ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଆତଙ୍କବାଦୀ ଅଫଜଲ ଗୁରୁ ସହ ମଧ୍ୟ ଡିଏସପି ଦେବେନ୍ଦ୍ର ସିଂର ଲିଙ୍କ୍ ଥିବା ନେଇ ଖବର ସାମ୍ନାକୁ ଆସିଛି ।

ଡିଏସପି ଦେବେନ୍ଦ୍ର ସିଂ ଶ୍ରୀନଗର ବିମାନବନ୍ଦର ସୁରକ୍ଷାରେ ନିୟୋଜିତ ଥିବା ବେଳେ ଗତ ଦୁଇ ଦିନ ତଳେ ଆସିଥିବା ବିଦେଶ ରାଷ୍ଟ୍ରଦୂତଙ୍କ ସୁରକ୍ଷାରେ ମଧ୍ୟ ସାମିଲ ଥିଲେ । ଆଣ୍ଟି ହାଇଜାକିଙ୍ଗ ସ୍କ୍ୱାର୍ଡର ଦେବେନ୍ଦ୍ରଙ୍କୁ ସଫଳ ଆତଙ୍କବାଦୀ ଅପରେଶନ ପାଇଁ ରାଷ୍ଟ୍ରପତି ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।

ଦେବେନ୍ଦ୍ରଙ୍କୁ ଗିରଫ ପରେ ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି, ଦେବେନ୍ଦ୍ରଙ୍କୁ ମଧ୍ୟ ଆତଙ୍କବାଦୀଙ୍କ ଭଳି ପଚରାଉଚରା କରାଯିବ । କାରଣ ଯାଞ୍ଚ ସମୟରେ ତାଙ୍କ ଘରୁ ୩ଟି ଏକେ-୪୭ ରାଇଫଲ ସହ ୫ଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଜବତ କରାଯାଇଛି । ଆତଙ୍କବାଦୀଙ୍କ ସହ କାରରେ ଯାଉଥିବା ବେଳେ ଡିଏସପି ଦେବେନ୍ଦ୍ର ସିଂଙ୍କୁ ଗିରଫ କରିଥିଲା ପୋଲିସ । ଏପରିକି ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଇବା ପଛରେ ଦେବେନ୍ଦ୍ରଙ୍କର ବଡ ଭୂମିକା ରହିଥିଲା ବୋଲି କୁହାଯାଉଛି । ଯାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।