ମିଶାଣ, ଫେଡାଣ, ଗୁଣନ ଓ ହରଣ ସବୁ କରୁଛି ‘କଟକ’ର କୁକୁର ! ଜ୍ୟୋତିଷ ବିଦ୍ୟାରେ ବି ମାହିର, ଜାଣନ୍ତୁ ପୋଲିସ ବିଭାଗର ବୁଦ୍ଧିଆ କୁକୁର କାଜଲ ବିଷୟରେ କିଛି ।

109

ମିଶାଣ, ଫେଡ଼ାଣ, ହରଣ ଓ ଗୁଣନ କରିପାରୁଛି। ଜ୍ୟୋତିଷ ବିଦ୍ୟା ଜାଣିଛି। ମଞ୍ଚ ଉପରେ ଅତିଥିଙ୍କୁ ଫୁଲତୋଡ଼ା ଦେଉଛି। ଇଏ ହେଉଛି ରାଜ୍ୟ ପୁଲିସ ବିଭାଗର ଗୋଳାବାରୁଦ ସନ୍ଧାନୀ କୁକୁର ‘କାଜଲ’ର କାରନାମା। ରାଜ୍ୟ ପୁଲିସର ‘କେ-୯ ସ୍କ୍ଵାଡ୍’ରେ ଏଭଳି ଧୁରନ୍ଧର ଓ ବୁଦ୍ଧିଆ କୁକୁର ଯୋଗ ଦେଇଥିବା ବେଳେ ତା’ର କାର୍ୟ୍ୟକଳାପ ସମସ୍ତଙ୍କୁ ଚକିତ କରିଛି।

ଲାବ୍ରାଡୋର୍ ପ୍ରଜାତିର ‘କାଜଲ’କୁ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଥିବା ବିଏସଏଫ୍ କ୍ୟାମ୍ପରେ ୬ ମାସ କାଳ ଏକ୍ସପ୍ଲୋସିଭ୍ ବା ଗୋଳାବାରୁଦ ଠାବ ସଂକ୍ରାନ୍ତରେ ତାଲିମ ଦିଆଯାଇଥିଲା। ସେଠୁ ଆସି ସେ ଏବେ କଟକ ପୁଲିସ ମୁଖ୍ୟାଳୟରେ ନିଯୁକ୍ତ ହୋଇଛି। ମାତ୍ର ଏକ ବର୍ଷ ୨ ମାସର ‘କାଜଲ’କୁ ଏବେ ମାନସିକ ଭାବେ ତୀକ୍ଷ୍ଣ ହେବାକୁ ଡ୍ରିଲ୍ ଶିଖାଉଛନ୍ତି ତାଲିମ ଦାତା । ଯବାନ ଯେଭଳି ଘଞ୍ଚ ଜଙ୍ଗଲରେ ଜରୁରି ପରିସ୍ଥିତିରେ ମାଟିରେ ଗୁରୁଣ୍ଡି ଗୁରୁଣ୍ଡି ନକ୍ସଲ୍ ଦମନ ଅପରେସନ୍ କରନ୍ତି ଠିକ ସେହି ଢଂଗରେ ‘କାଜଲ’ ଏବେ କାର୍ୟ୍ୟ କରୁଛି । ‘ଭାରତ ମାତା କିଟ୍ଟ’ କହିଲେ, କାଜଲ ଭୁକିକି ‘ଜୟ’ ଶବ୍ଦ କରୁଛି। ପ୍ରତ୍ୟେକ ଦିନ ସକାଳୁ ଗେଟ୍ ବାହାରୁ ଖବର କାଗଜ ଆଣି ଅଫିସରଙ୍କୁ ପଢ଼ିବାକୁ ଦେଉଛି ।

ସବୁଠୁ ରୋଚକ କଥା, ଗଣିତରେ ଏବେ ମଣିଷଙ୍କ ପରି ପୋଖତ ହେଇସାରିଲାଣି କାଜଲ । ଉଦାହରଣ ସ୍ୱରୂପ, ୧ରେ ୧ ମିଶିଲେ ଦୁଇ ଥର ଭୁକିକି ଉତ୍ତର ୨ ବୋଲି କହୁଛି । ସେହିପରି ୧୦ରୁ ୫ ଫେଡ଼ିଲେ ଉତ୍ତର ୫ ଦର୍ଶାଇବାକୁ ୫ ଥର ଭୁକୁଛି । ୩ରେ ୪ ଗୁଣିଲେ ଉତ୍ତର ୧୨ ଦର୍ଶାଇବାକୁ ୧୨ ଥର ଭୁକି ‘କାଜଲ’ ନିଜର କରିସ୍ମା ଦେଖାଉଛି । କୌଣସି ଭବିଷ୍ୟତ କଥା ପଚାରିଲେ ‘କାଜଲ’ ମୁଣ୍ଡ ହଲାଇ ତା’ର ଉତ୍ତର ଦେଉଛି । ନିକଟରେ ପୁଲିସ ବିଭାଗ ପକ୍ଷରୁ ଆଥଲେଟ୍ ଇଭେଣ୍ଟରେ ଭାଗ ନେବାକୁ ଜିଲ୍ଲା ବାହାରକୁ ପୁଲିସ କର୍ମଚାରୀ ଯାଇଥିଲେ । ଯିବା ପୂର୍ବରୁ ଖେଳର ଫଳାଫଳ ସମ୍ପର୍କରେ ପଚାରିବାରୁ ଟିମ୍ ଜିତିବ ବୋଲି ସେ ମୁଣ୍ଡ ହଲାଇ କହିଥିଲା। ସେହି ଇଭେଣ୍ଟରେ ଟିମ୍ ଜିତିଥିଲା । ଏଭଳି ଅନେକ ଛୋଟ ବଡ଼ ଘଟଣାରେ ତା’ କଥା ସତ ହେଉଥିବାରୁ ଏକ ପ୍ରକାର ବିଶ୍ୱାସ ଜନ୍ମିଥିବା ପୁଲିସ ବିଭାଗରେ ଚର୍ଚ୍ଚା ହେଉଛି । ଗତ ୬ ମାସ ମଧ୍ୟରେ ଚଳିତ ରଥଯାତ୍ରାକୁ ମିଶାଇ ମୋଟ ୯ଟି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ସଫଳତାର ସହିତ କାଜଲ ତୁଲାଇଛି । କଟକ ବାଲିଯାତ୍ରା ଉପର ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭାର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ନେଇଥିଲା ‘କାଜଲ’ । ବୋମା କିମ୍ବା ଗୋଳାବାରୁଦ ସାମଗ୍ରୀ ଯାଞ୍ଚ କରିବାରେ ସଫଳ ହୋଇଥିଲା ।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ସଦର ଥାନାରେ ‘କାଜଲ’ର ଅନ୍ୟ ଏକ ନୂଆ ସହଯୋଗୀ ‘ଅମର’ ବେଶ ସଫଳ ସାବ୍ୟସ୍ତ ହୋଇଛି । ଜୁଲାଇ ୮ ତାରିଖରେ ଏକ ଡକାୟତି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ ଏବଂ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟାଳୟରେ ଦୀର୍ଘ ଦିନ ବ୍ୟବଧାନରେ ଲାବ୍ରାଡୋର ଓ ଜର୍ମାନସେଫର୍ଡ ପ୍ରଜାତିର ୬ଟି କୁକୁରଙ୍କୁ ୧ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟରେ ଖରିଦ୍ କରାଯାଇଛି।