କନକ ବ୍ୟୁରୋ : ପୋଲିସ ଡିଜି ରାଜେନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ମାଓ ଦମନ ରଣନୀତି ନେଇ ଆଜି ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ବିଏସଏଫ, ସିଆରପିଏଫ, ଆଇବି ଓ ରାଜ୍ୟ ପୋଲିସର କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ମାଓଦମନ ନେଇ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମାଓ ଅଞ୍ଚଳରେ ଭିତ୍ତିଭୂମି ଅଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଉଛି ତେଣୁ ଭିତ୍ତିଭୂମିର ବିକାଶ ନେଇ ବୈଠକରେ ଆଲୋଚନା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତା ଛଡା ଓଡ଼ିଶାର ମାଓ ଅଧୁଷିତ ଅଞ୍ଚଳରେ ୨ ବାଟାଲିଏନ କେନ୍ଦ୍ରୀୟ ସଶସ୍ତ୍ର ବଳର ଆବଶ୍ୟକତା ରହିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ ମଧ୍ୟ କରାଯାଇଛି । ଏବେ ସିଆରପିଏଫ ଯବାନ ଓ ବିଏସଏଫ ଯବାନ ମାଓ ଅଞ୍ଚଳରେ ବିଭିନ୍ନ ଅପରେସନରେ ଭାଗ ନେଉଛନ୍ତି । ସବ୍ୟସାଚୀ ପଣ୍ଡାଙ୍କ ପରେ ବର୍ତ୍ତମାନ ଓଡ଼ିଶା କ୍ୟାଡରର କୌଣସି ମାଓନେତା ମାଓ ସଂଗଠନର ନେତୃତ୍ୱ ନେଉନାହାନ୍ତି । ଛତିଶଗଡ, ତେଲେଙ୍ଗାନା, ଓ ଆନ୍ଧ୍ରପ୍ରଦେଶ କ୍ୟାଡରର ମାଓନେତା ଏବେ ଅଧିକ ସକ୍ରିୟ ରହୁଛନ୍ତି ।
ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ମାଓ ହିଂସା ପୂର୍ବାପେକ୍ଷା କମିଛି । କିନ୍ତୁ ଏବେ ମାଓବାଦୀ ନୂଆ କୌଶଳ ଓ ନୂଆ କରିଡର ତିଆରି କରୁଛନ୍ତି , ସେସବୁ ଅଞ୍ଚଳରେ ପୋଲିସ ଓ ଅପରେସନ ଟିମର ନଜର ରହିଛି । ନୟାଗଡରେ ମାଓବାଦୀଙ୍କ ନୂଆ କରିଡର ନେଇ ଡିଜି କହିଛନ୍ତି ଯେ, ଏଭଳି ଘଟଣା ତାଙ୍କ ନଜରକୁ ଆସିଛି । ତେଣୁ ଏହି ଅଞ୍ଚଳରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିବା ପୂର୍ବରୁ ମାଓ କ୍ୟାମ୍ପ ଖୋଜି ଏହାକୁ ଧ୍ୱଂସ କରାଯିବା ନେଇ ଡିଜି ସୂଚନା ଦେଇଛନ୍ତି । ତାଛଡା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ନୟାଗଡ ଜିଲ୍ଳାରେ ମାଓବାଦୀ କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ତେଣୁ ଏହିସବୁ ଅଞ୍ଚଳରେ ମାଓ ଦମନ ପାଇଁ ଆଇବିକୁ ଦାୟିତ୍ୱ ଦିଆଯାଇଛି ।ୂ
ଡିଜି କହିଛନ୍ତି ଯେ, ମାଓ ଅଞ୍ଚଳ ପରିଦର୍ଶନ ପରେ ପୋଲିସ, ବିଏସଏଫ୍ ଏବଂ ସିଆରପିଏଫ ପାଇଁ କଣ କଣ ଆବଶ୍ୟକ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । ରିପୋର୍ଟ ଆଧାରରେ ପୋଲିସକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ।