ଦୁର୍ଗାପୂଜାରେ ଟ୍ୱିନ୍ ସିଟିରେ ମୁତୟନ ହେବେ ୯୮ ପ୍ଲାଟୁନ ଫୋର୍ସ : ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ଶର୍ମା

113

କନକ ବ୍ୟୁରୋ : ଦୁର୍ଗାପୂଜାରେ ସୁରକ୍ଷା ବ୍ୟବସ୍ଥା ନେଇ କମିସନରେଟ ପୁଲିସ ବ୍ୟାପକ ଭାବରେ ପ୍ରସ୍ତୁତ ରହିଛି । ଟୁଇନ୍‌ ସିଟି(ଭୁବନେଶ୍ୱର-କଟକ)ରେ ୯୮ ପ୍ଲାଟୁନ ପୁଲିସ ମୁତୟନ କରିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଡାକ୍ତର ରାଜେନ୍ଦ୍ର ଶର୍ମା କହିଛନ୍ତି । ସେ କହିଛନ୍ତି, ୧୪୦ ଓଏସଏପି, ୮୧ ପ୍ଲାଟୁନ ଆଇଆରବି ଫୋର୍ସ, ୨୩ଓଆଇଏସ୍‌ଏଫ୍‌ ଓ ୩ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ମୁତୟନ ହେବେ । କେନ୍ଦ୍ରରୁ ୨ ପ୍ଲାଟୁନ ସିଆରପିଏଫ୍‌ ଯବାନ ଆସିବେ । କଟକ ଓ ଭୁବନେଶ୍ୱରରେ ସମୁଦାୟ ୯୮ ପ୍ଲାଟୁନ ପୁଲିସ ମୁତୟନ ହେବେ । ସେ କହିଛନ୍ତି, ଏପର୍ଯ୍ୟନ୍ତ ୧୦୬୮ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ଏଥିରୁ ୧୧୨ ଜଣଙ୍କୁ ଗିରଫ କରାଯାଇଛି । ଚାନ୍ଦା ଆଦାୟ ବେଳେ ୨୧ଜଣଙ୍କୁ ଗିରଫ କରାଯାଇଛି ବୋଲି ଶର୍ମା କହିଛନ୍ତି।

ଦଶହରା ଅବସରରେ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ପାଇଁ ଟୁଇନ୍‌ ସିଟି ଚଳଚଞ୍ଚଳ ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି । କଟକରେ ୫୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାରେ ୪ଜଣ ଅଫିସର ନିଯୁକ୍ତି ହେବେ। ୨ କମ୍ପାନୀ ସିଆରପିଏଫ୍‌ ଓ ଏସ୍‌ଓଜି ମୁତୟନ ହେବେ। ସେହିଭଳି ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ଓ ୨୦୦ ଅଫିସର ଦୁର୍ଗା ପୂଜା ଉପରେ ନଜର ରଖିବେ । ଏଥି ସହିତ ପ୍ରତି ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ ।