ଗାଡି ଅପରିଷ୍କାର ହୋଇଯିବ ବୋଲି ଆହତଙ୍କୁ ନେଲେନି ପୋଲିସ ବାବୁ, ରାସ୍ତାକଡରେ ଛଟପଟ ହୋଇ ଚାଲିଗଲା ଦୁଇ ମୂଲ୍ୟବାନ ଜୀବନ

92

ଉତ୍ତର ପ୍ରଦେଶ ପୋଲିସର ପୁଣି ଏକ କୁତ୍ସିତ ଚେହେରା ସାମ୍ନାକୁ ଆସିଛି । ଯୋଗୀ ସରକାରରେ ମରିଯାଇଛି ମାନବିକତା । ଉତ୍ତର ପ୍ରଦେଶ ପୋଲିସ ବିଭାଗର କିଛି କର୍ମଚାରୀଙ୍କ ଅମାନବୀୟ କାର୍ଯ୍ୟ ପାଇଁ ପୂରା ପୋଲିସ ବିଭାଗ ଉପରେ ପ୍ରଶ୍ନ ଉଠିଛି ।ପୋଲିସ କର୍ମଚାରୀଙ୍କ ଆଖି ସାମ୍ନାରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଛି ।କିନ୍ତୁ ଏହାର କାଣିଚାଏ ପ୍ରଭାବ ମଧ୍ୟ ପୋଲିସ କର୍ମଚାରୀଙ୍କ ଉପରେ ପଡିନି । ଗାଡିରେ ରକ୍ତ ଲାଗି ଅପରିଷ୍କାର ହୋଇଯିବ ବୋଲି ଏଭଳି ଘଟଣା ସହାରନପୁରରେ ଦେଖିବାକୁ ମିଳିଛି ।

up-police-100-dial-56-1492345277-199897-khaskhabarଗତ ଗୁରବାର ଦିନ ରାତି ପ୍ରାୟ ୧୨ଟା ସମୟରେ ସହାରନପୁରର ଜନକପୁର ଅଞ୍ଚଳରେ ଏକ ବିଜୁଳି ଖୁଣ୍ଟିରେ ପିଟି ହୋଇ ଦୁଇ ଯୁବକ ନାଳରେ ପଡି ଗୁରୁତର ଆହତ ହୋଇଥିଲେ । ତେବେ ରାସ୍ତାରେ ଯାଉଥିବା ଲୋକ ଏହା ଦେଖିବା ପରେ ପୋଲିସର ସହାୟତା ପାଇଁ ୧୦୦ ନମ୍ବରକୁ ଡାଏଲ କରିଥିଲେ । ଏହାର କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକ ଆହତ ଯୁବକଙ୍କୁ ଡାକ୍ତରଖାନା ନେବାକୁ ପୋଲିସକୁ ନିବେଦନ କରିଥିଲେ । କିନ୍ତୁ ପୋଲିସର କଠୋର ହୃଦୟ ତରଳିନଥିଲା । ବରଂ ଆହତ ଯୁବକଙ୍କୁ ଗାଡିରେ ନେଲେ ଗାଡି ଅପରିଷ୍କାର ହୋଇଯିବ ବୋଲି ଯୁକ୍ତି ବାଢିଥିଲେ ।

ଏପରିକି ଗାଡି ଅପରିଷ୍କାର ହେଲେ ସେଠାରେ ଉପସ୍ଥିତ ଲୋକେ ଧୋଇଦେବେ ବୋଲି ମଧ୍ୟ କହିଥିଲେ କିନ୍ତୁ ଏହା ମଧ୍ୟ ପୋଲିସ ବାବୁଙ୍କୁ ସନ୍ତୁଷ୍ଟ କରି ପାରିନଥିଲା । ଯଦି ଗାଡି ଧୂଆହେବ ତେବେ ରାତିରେ ସେମାନେ ବସିବେ କେଉଁଠି ବୋଲି ଓଲଟା ପ୍ରଶ୍ନ କରିଥିଲେ । ଏହାସହ ଅଟୋରେ ଆହତ ଯୁବକଙ୍କୁ ଅଟୋରେ ନେବାକୁ କହିଥିଲେ । ରାତି ଅଧିକ ହୋଇଥିବାରୁ ଅଟୋ ମିଳିନଥିଲା । ଫଳରେ ସେହିଠାରେ ଦୁଇ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଆହତ ଯୁବକଙ୍କୁ ଠିକ୍ ସମୟରେ ଡାକ୍ତରଖାନା ନିଆଯାଇଥିଲେ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ତେବେ ଆହତ ଯୁବକଙ୍କୁ ଗାଡିରେ ନେବାକୁ ମନାକରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓକୁ ଯାଞ୍ଚ କରିବା ପରେ ଏହି ଘଟଣାରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି ପୋଲିସ ବିଭାଗ ।