ପୂଜା ପୂର୍ବରୁ ଦାଗୀ ଖୋଜା । ସୁନା ଲୁଟେରାଙ୍କ ତାଲିକା ପ୍ରସ୍ତୁତ କଲା କମିସନରେଟ୍ ପୋଲିସ । ମୋଷ୍ଟ ୱାଂଟେଡଙ୍କୁ ହାତକଡ଼ି ପିନ୍ଧାଇବାକୁ ପୋଲିସର ତନାଘନା

37

କନକ ବ୍ୟୁରୋ: ପୂଜା ଭିଡ ଭିତରେ ବେଧଡକ ଲୁଟ୍ । ଆଖି ପିଛୁଳାକେ ଲୁଟ୍ କରି ଚମ୍ପଟ ମାରନ୍ତି ଲୁଟେରା । କାହାର ସୁନା ଚେନ୍ ତ ଆଉ କାହାର ପର୍ସ । ଲୁଟ୍ କରିବାକୁ ଯାଇ, ଆକ୍ରମଣ କରିବାକୁ ପଛାନ୍ତିନାହିଁ ଲୁଟେରା । ଏଥର ଦୁର୍ଗାପୂଜାରେ ଲୁଟେରାଙ୍କ ଉପରେ ରହିଛି କମିଶନରେଟ୍ ପୋଲିସର ନଜର । କିଛି ମୋଷ୍ଟ ୱାଂଟେଡଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ପୂଜା ପୂର୍ବରୁ ସେମାନଙ୍କୁ ଗିରଫ କରିବାକୁ ପୋଲିସ ଏବେ ଅଂଟା ଭିଡିଛି ।

ଚିହ୍ନି ରଖନ୍ତୁ ଚେନ୍ ଲୁଟେରାଙ୍କ ଚେହେରାକୁ । ଏହି ନିରୀହ ଚେହେରା ଭିତରେ ଲୁଚି ରହିଛି ସଇତାନର ରୂପ । କମିସନରେଟ୍ ପୋଲିସଙ୍କ ଦାଗୀ ତାଲିକାରେ ଅଛନ୍ତି ଏହି ଧୁରନ୍ଧର ଲୁଟେରା ।

ବିଭୂତି ସାସମଲ, ଘର – ନନ୍ଦନକାନନ ଥାନା, ଖଇରାପଡ଼ା ଗାଁ । ପୁରୁଣା ଦାଗୀ ଚେନ୍ ଲୁଟେରା । ଟ୍ୱିନ୍ ସିଟିରେ ଅନେକ ଛିନ୍ତାଇ କରିଛି ଏହି ଅପରାଧୀ ।

ଧନେଶ୍ୱର ପ୍ରଧାନ, ଘର – କଟକ ସଦର ଥାନା, ତେନ୍ତୁଳିଆ ଗାଁ । କଟକ ଓ ଭୁବନେଶ୍ୱରର ୨୦ଟି ଲୁଟ୍ ମାମଲାରେ ରହିଛି ତା’ ନାଁରେ ।

ଚିଣ୍ଟୁ ମହାନ୍ତି, ଘର – ଭୁବନେଶ୍ୱରର ବରଗଡ଼ । ଚିଂଟୁ କେବଳ ଲୁଟେରା ନୁହେଁ, ପୁଳା ପୁଳା ଅସାମାଜିକ ମାମଲା ରହିଛି ତା’ ନାଁରେ । କଥା କଥାକେ ଗୁଳି ଫୁଟାଇବା, ଭୁଜାଲିରେ ହାଣିବା ତା’ ବାଁ ହାତର ଖେଳ । ସୂଚନା ମିଳିଛି ଶୁକ୍ରବାର ଦିନ ପୋଲିସ ସହ ମୁହାଁମୁହିଁ ହୋଇଥିଲା ଚିଂଟୁ । ଉଭୟ ପକ୍ଷରୁ ଗୁଳି ଚଳାଇ ଯାଇଥିଲା, ହେଲେ ଜଟଣୀ ଅଂଚଳରୁ ପୋଲିସ ଚକମା ଦେଇ ଫେରାର ହୋଇଯାଇଛି ଏହି ହାଡ୍କୋର ଅପରାଧୀ । ଏହି ମୋଷ୍ଟ ୱାଂଟେଡ୍ମାନଙ୍କ ଉପରେ ରହିଛି କମିସନରେଟ୍ର ତୀକ୍ଷ୍ଣ ନଜର । ପୂଜା ପୂର୍ବରୁ ଗିରଫ କରିବାକୁ ଚାଲିଛି ତନାଘନା ।

ନଜର ପକାନ୍ତୁ ଜେଲ ଭିତରେ ଥିବା ଏହି ଦୁର୍ଦ୍ଦାନ୍ତ ଲୁଟେରାମାନଙ୍କୁ । ଆପଣଙ୍କ ଆଖିର ପଲକ ପଡ଼ିନଥିବ, ଆପଣଙ୍କ ଚେନ୍ ଚିଣ୍ଡାଇ ପବନରେ ମିଳାଇଯିବେ ଏହି ଅଭ୍ୟାସଗତ ଅପରାଧୀ । କେବଳ ସେତିକି ନୁହେଁ, ଚେନ୍ ଲୁଟିବାକୁ ଯାଇ କାହାର ଜୀବନ ନେବାକୁ ମଧ୍ୟ ପଛାଇବେ ନାହିଁ ଏମାନେ । କାହିଁକି ନା କେତେବେଳେ, କେଉଁଠି ଓ କିପରି ସେମାନେ କାହାକୁ ଆକ୍ରମଣ କରିବେ, ଯାହାକୁ ଅନ୍ଦାଜ ଲଗାଇବା ମୁସ୍କିଲ ନୁହେଁ ଅସମ୍ଭବ । କିଛି ଅପରାଧୀ ଏବେ ଜେଲର ଚାରିକାନ୍ଥ ଭିତରେ । ପୂଜା ପୂର୍ବରୁ ଅନ୍ୟ ଲୁଟେରାଙ୍କୁ ଜେଲର ଚାରିକାନ୍ଥ ଭିତରେ ରଖିବାକୁ ଅଂଟା ଭିଡିଛି କମିସନରେଟ୍ ପୋଲିସ ।

ତେବେ ପୂଜାର ଭିଡ଼କୁ ଟାର୍ଗେଟ କରିଥାନ୍ତି ଲୁଟେରା । ପୂଜା ବଜାରରେ କିପରି ହାତ ସଫାଇ କରିହେବ, ଆଉ ପୋଲିସ ଚକମା ଦେଇ ଖସିହେବ, ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି ଏମାନେ । ତେବେ ଅପରାଧୀ ଚ୍ୟାଲେଂଜ ଦେବା ପୂର୍ବରୁ ସେମାନଙ୍କୁ ହାତକଡ଼ି ପିନ୍ଧାଇବାକୁ ଲକ୍ଷ୍ୟ ରଖିଛି କମିସନରେଟ୍ ପୋଲିସ ।