କରୋନା ଯୋଦ୍ଧାଙ୍କୁ ପୋଲିସର ଅସମ୍ମାନ ପ୍ରସଙ୍ଗ । ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଲେ ପୋଲିସ କମିଶନର । କହିଲେ ଡାକ୍ତରଙ୍କୁ ପାସ୍ ଦିଆଯାଏ, ସମ୍ପର୍କୀୟଙ୍କୁ ନୁହେଁ । ମେଡିକାଲ ଯିବାକୁ ପୋଲିସ ବାଟ ଛାଡୁନଥିବାର ଆଜି ଅଭିଯୋଗ କରିଥିଲେ ଜଣେ ମହିଳା ଡାକ୍ତର ।

3,932

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସର ଜଣେ ମହିଳା ଡାକ୍ତରଙ୍କ ପାସ୍ ପ୍ରଦାନ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ଡାକ୍ତରଙ୍କୁ ପାସ୍ ପ୍ରଦାନ କରାଯାଇଥାଏ, ସମ୍ପର୍କୀୟଙ୍କୁ ନୁହେଁ । ଡାକ୍ତର ଜଣକ ତାଙ୍କ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ବା କର୍ତ୍ତୃପକ୍ଷ ପୋଲିସଙ୍କ ପାଖରୁ ପାସ୍ ନେଇପାରିବେ । ଅନ୍ୟପଟେ ସଂପୃକ୍ତ ଆଇଆଇସି ଏବଂ ଏସିପିଙ୍କ ଅନୁସାରେ ଡାକ୍ତର ଜଣଙ୍କୁ ତୁରନ୍ତ ପାସ୍ ଯୋଗାଇ ଦିଆଯାଇଥିଲା । ତେବେ କାହିଁକି ଡାକ୍ତର ଜଣକ ପୋଲିସ ବିରୋଧରେ ଏଭଳି ଅଭିଯୋଗ କରୁଛନ୍ତି ତାହା ବୁଝା ପଡୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପୋଲିସ କମିଶନର । ଏହି ଘଟଣାର ତଦନ୍ତ ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି ।

ତେବେ କରୋନା ବିରୋଧୀ ଲଢେଇରେ ଆଗଧାଡିର ଯୋଦ୍ଧା ହେଉଛନ୍ତି ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ । ଯେଉଁମାନେ ସିଧା ସଳଖ କରୋନା ସହ ଲଢେଇ କରୁଛନ୍ତି । ରୋଗୀଙ୍କ ପାଖକୁ ଯାଇ ଚିକିତ୍ସା କରୁଛନ୍ତି, ଏବଂ ନିଜେ ସଂକ୍ରମିତ ହେବାର ଭୟ ଥିଲେ ବି ନିଜ କର୍ତବ୍ୟ ପାଳନ କରୁଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ସେମାନଙ୍କୁ ଆଗଧାଡିର ଯୋଦ୍ଧା ବୋଲି କହୁଛନ୍ତି ।

କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି, ଆମ ପୁଲିସ ବାବୁମାନେ ଏହାକୁ ବୁଝୁ ନାହାନ୍ତି । ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ଜଣେ ମହିଳା ଡାକ୍ତର କେମିତି ଲକ ଡାଉନ ଭିତରେ ହସ୍ପିଟାଲ ଆସିବେ ତାହା ତାଙ୍କର ଚିନ୍ତାର ବଡ କାରଣ ପାଲଟିଯାଇଥିଲା । ବାରମ୍ବାର ପୁଲିସ ଅଟକାଇ ଦେଉଥିଲା ଏବଂ ହସ୍ପିଟାଲ ପହଂଚିବା ତାଙ୍କ ପାଇଁ କଠିନ ହୋଇଯାଉଥିଲା । ମହିଳା ଡାକ୍ତର ଜଣକ ଫୋନରେ କନକ ନ୍ୟୁଜକୁ କହିଛନ୍ତି କି ପୁଲିସ କେମିତି ଜଣେ ଡାକ୍ତର ହସ୍ପିଟାଲରେ ପହଂଚିବା କେତେ ଗୁରୁତ୍ୂପୂର୍ଣ୍ଣ ତାହା ଆଦୌ ବୁଝିପାରୁନଥିଲା । ଡାକ୍ତରଙ୍କୁ ହସ୍ପିଟାଲ ନେଉଥିବା ତାଙ୍କ ଭାଇ ଏନେଇ ଟୁଇଟ ମଧ୍ୟ କରିଥିଲେ । ପୋଲିସ ବିରୋଧରେ ଏ ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର ।