ଶୁଆଇ ଦେଉନି ସାଇକୋ କିଲର୍ ! ଘୁରି ବୁଲୁଛି ହତ୍ୟାକାରୀ, ହେଲେ ପୋଲିସର ହାତ ଖାଲି । କମିଶନର କହିଲେ, ସୁରାଗ୍ ମିଳିଛି, ଖୁବ୍ ଶୀଘ୍ର ଧରାପଡ଼ିବ ଅଭିଯୁକ୍ତ ।
କନକ ବ୍ୟୁରୋ : ପୋଲିସର ନିଦ ହଜାଇ ଦେଇଛି କଟକର ସାଇକୋ କିଲର୍ । ହତ୍ୟାକାରୀକୁ ଧରିବାକୁ ପୋଲିସ ଖୋଜୁଛି, ଆଉ ପୋଲିସକୁ ଚକମା ଦେଇ ହତ୍ୟାକାରୀ ବୁଲୁଛି । ୩-୩ଟି ହତ୍ୟା କରି ହତ୍ୟାକାରୀ ଘୁରି ବୁଲୁଛି, ହେଲେ ଏଯାଏଁ ପୋଲିସର ହାତ ଖାଲି । ଘଟଣାକୁ ଗୋଟିଏ ସପ୍ତାହ ହୋଇଗଲାଣି, କିଏ କରିଛି ମର୍ଡର ? କେଉଁଠି ଅଛି ହତ୍ୟାକାରୀ ? ଏସଂପର୍କରେ କୌଣସି ଖବର ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଉ ଏଭଳି ସ୍ଥିତିରେ ମର୍ଡର୍ ପ୍ଲଟ୍ ଏବଂ ତା’ ପଛରେ ଥିବା ମାନସିକତା ସଂପର୍କରେ ଜାଣିବା ପାଇଁ ଫରେନସିକ୍ ମେଡ଼ିସିନ୍ ବିଭାଗର ସାହାଯ୍ୟ ନେବାକୁ ବାଧ୍ୟ ହୋଇଛି କମିଶନରେଟ୍ ପୋଲିସ । ଯେଉଁଥିରେ କୁହାଯାଉଛି, ହତ୍ୟାକାଣ୍ଡ ପଛରେ ରହିଛି ସାଇକୋ କିଲର୍ ।
– ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଅସ୍ତ୍ର
– ହତ୍ୟାକାଣ୍ଡର ପାରିପାଶ୍ୱିର୍କ ସ୍ଥିତି
– ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିବା
ଏହି ତମାମ୍ ଦିଗକୁ ଆଧାର କରି ଯେତେବେଳେ ପୋଲିସ ଫରେନସିକ୍ ମେଡ଼ିସିନ୍ ବିଭାଗର ସାହାଯ୍ୟ ନେଇଛି, ସେତେବେଳେ ବିଶେଷଜ୍ଞଙ୍କ ମତ ଆଧାରରେ ହତ୍ୟାକାଣ୍ଡ ପଛରେ ସାଇକୋ କିଲର୍ ଥିବା ଅନୁମାନ କରାଯାଉଛି । ଏମିତି କି ଏହି ହତ୍ୟାକାଣ୍ଡ ସଂପର୍କରେ ସୁରାଗ୍ ମିଳିଥିବା ଦାବି କରିଛନ୍ତି ପୋଲିସ କମିଶନର ।
ତେବେ ପ୍ରଶ୍ନ ଉଠୁଛି ପୋଲିସ୍ ହାତରେ କେଉଁ ସୁରାଗ୍ ଲାଗିଛି ? ନିର୍ଦ୍ଦିଷ୍ଟ କୌଣସି ପ୍ରମାଣ ରହିଛି କି ? ବହୁ ଚର୍ଚ୍ଚିତ କଟକର ଏହି ସିରିୟଲ ହତ୍ୟାକାଣ୍ଡ ଘଟଣାର ସୁରାଗ୍ ମିଳିଛି ବୋଲି ପୋଲିସ୍ ଦାବି କରିଛି । କିନ୍ତୁ କେଉଁ ଭଳି ସୂତ୍ର ମିଳିଛି ସେ ସଂପର୍କରେ କୌଣସି ତଥ୍ୟ ଦେଇ ନାହାଁନ୍ତି ପୋଲିସ୍ କମିଶନର । କାରଣ, ଏହା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି ପୋଲିସ କମିଶନର । ଆଉ ସବୁଠାରୁ ବଡ଼ କଥା ହେଉଛି, ଆଡିସନାଲ୍ ଡିସିପି ର୍ୟାଙ୍କର ଜଣେ ପୋଲିସ୍ ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ କରୁଛି ଏକ ପୋଲିସ୍ ଟିମ୍ । ହେଲେ ସାଇକୋ କିଲର୍ ଟେର୍ ପାଉନି ପୋଲିସ୍ ।