ଆଇପିଏଲରେ ଛକା, ଜୁଆ ଆଡାରେ ଉଡୁଛି ଟଙ୍କା । ଷ୍ଟିଲ୍ ସିଟିରେ ଆଇପିଏଲ୍ ବେଟିଂ । ଅନଲାଇନରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ବେଆଇନ କାରବାର

40

କନକ ବ୍ୟୁରୋ: ପଡିଆରେ ଛକା-ଚୌକାର ବର୍ଷା ଆଉ ଏପଟେ ଟଙ୍କାର ବର୍ଷା । ଅନଲାଇନରେ ସରଗରମ ସଟା ବଜାର । ସହରର ଗଳି କନ୍ଦିରେ ଚାଲିଛି ଆଇପିଏଲ୍ ବେଟିଂ ରାକେଟ୍ । ଷ୍ଟିଲ୍ ସିଟି ରାଉରକେଲାରେ ଏକ ବଡ ଧରଣର ବେଟିଂ ରାକେଟକୁ ଧରିଛି ପୋଲିସ । ୩ ସଟା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଜବତ କରିଛି ୯ ଲକ୍ଷରୁ ଅଧିକ ଟଙ୍କା । ପଢନ୍ତୁୁ ଅନଲାଇନରେ କିଭଳି ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ବେଆଇନ କାରବାର ।

ଆଇପିଏଲ୍ ମାନିଆ ଯୁବପିଢିକୁ ମତୁଆଲା କରିଥିବା ବେଳେ ସକ୍ରୀୟ ହୋଇଉଠିଛି ବେଆଇନ ବେଟିଂ ର୍ୟାକେଟ୍ ରାଉରକେଲାରେ ଏପରି ଏକ ର୍ୟାକେଟର ପର୍ଦ୍ଦାଫାସ ହେବା ପରେ ସାମନାକୁ ଆସିଛି ଏହି ସାଂଘାତିକ ସତ । ଗତକାଲିଠାରୁ ରାଉରକେଲା ପ୍ଲାଂଟସାଇଟ୍ ଥାନା ଅଂଚଳରେ ତୁହାକୁ ତୁହା ଚଢାଉ କରିବା ପରେ ୩ ଜଣ ସଟ୍ଟା ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ସେମାନଙ୍କଠାରୁ ୯ଲକ୍ଷରୁ ଅଧିକ ଟଙ୍କା, ଏଲଇଡି ଟିଭି, ଲାପଟପ୍, କାଲକୁଲେଟର, ୩୩ଟି ମୋବାଇଲ ଫୋନ ଜବତ କରାଯାଇଛି । ଫଟାଫଟ କ୍ରିକେଟରେ ପଡ଼ିଆରେ ବ୍ୟାଟସମ୍ୟାନ ରନ୍ ବର୍ଷା କରୁଥିବା ବେଳେ ଅନଲାଇନ୍ ସଟ୍ଟାବଜାରରେ ହେଉଛି ଟଙ୍କା ବର୍ଷା । ଗୋଟିଏ ପଟେ ପଡିଆରେ ଛକା ଚୌକା ମାଡରେ ସ୍କୋର ଆଗକୁ ବଢୁଛି, ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଚାଲିଛନ୍ତି ସଟ୍ଟା ବେପାରୀ ।

ବହୁ ଦିନରୁ ରାଉରକେଲାରେ ଏହି ବେଆଇନ କାରବାର ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସବୁ ଜାଣି ଏଥିପ୍ରତି ଆଖି ବୁଜି ଦେଇଥିଲେ ସ୍ଥାନୀୟ ପୋଲିସ । ତେବେ ପୋଲିସ ଉଚ୍ଚ କର୍ତୃପକ୍ଷ ଜାଣିବା ପରେ ଏସପିଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ତନାଘନା । ବିଭିନ୍ନ ସ୍ଥାନରେ ଚଢାଉ ଓ ଫୋନ ଟ୍ରାକିଂ ପରେ ଧରା ପଡିଥିଲା ଏହି ର୍ୟାକେଟ୍ । ତେବେ ପୂର୍ବରୁ ସୂଚନା ପାଇଁ କିଛି କୁଖ୍ୟାତ ସଟ୍ଟା ବ୍ୟବସାୟୀ ଖସି ପଳାଇ ଯାଇଥିବା ଚର୍ଚ୍ଚା ହେଉଛି ।