ଓଡିଶାରେ ମାତିଛନ୍ତି ଅନ୍ତଃରାଜ୍ୟ ଡକାୟତ୍ ଗ୍ୟାଙ୍ଗ : ଭୁବନେଶ୍ୱର, ବାଙ୍ଗଲୋର, ଗୋଆରେ ଚୋରି କରି ଦିଲ୍ଲୀରୁ ଗିରଫ ହେଲେ ବାଙ୍ଗଲାଦେଶୀ ଡକାୟତ୍

290

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି କୁଖ୍ୟାତ ବାଂଲାଦେଶୀ ଡକାୟତ । ୨ ବାଂଲାଦେଶୀ ଡକାୟତଙ୍କୁ ଧରିବା ପରେ ସାମ୍ନାକୁ ଆସୁଛି ସେମାନଙ୍କ ନେଟୱର୍କ ଓ ଲୁଟର ଗୁମର । ଦିଲ୍ଲୀ ପରି ଗୋଆ, ବେଙ୍ଗାଲୁରୁ ଭାୟା ଓଡିଶା ଦେଇ ବେଶ୍ ଚତୁରଚାର ସହ ଚଳାଇଥିଲେ ଗୋଟିଏ ପରେ ଗୋଟିଏ ଡକାୟତି । ସବୁଠି ପୋଲିସକୁ ଚକମା ଦେଇ ଖସି ଯାଉଥିଲେ । ଏବେ ଧରାପଡିଛନ୍ତି ଦିଲ୍ଲୀ ପୋଲିସ ଜାଲରେ । ପ୍ରାଥମିକ ଯାଂଚରୁ ଜଣାପଡିଛି ଭୁବନେଶ୍ୱରରେ ୨ ଟି ବଡଧରଣର ଲୁଟ୍ ପଛରେ ଥିଲା ଏମାନଙ୍କ ହାତ । ଏହାର ଛାନଭିନ ପାଇଁ ଲୁଟେରାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ଦିଲ୍ଲୀରେ ଡେରା ପକାଇଛି ଓଡିଶା ପୋଲିସ ।

୨୬ ଫେବ୍ରୁୃୟାରୀ ୨୦୧୯ ଏବଂ ୦୧ ମେ’ ୨୦୧୯ରେ ଭୁବନେଶ୍ୱରରେ ୨ଟି ଚର୍ଚ୍ଚିତ ଡକାୟତି ଘଟଣା କମିଶନରେଟ ପୁଲିସ ପାଇଁ ଥିଲା ବଡ ମୁଣ୍ଡବିନ୍ଧାର କାରଣ । କାରଣ ଉଭୟ ସ୍ଥାନରେ ସମାନ ଷ୍ଟାଇଲରେ ହୋଇଥିଲା ଲୁଟ୍ । ଘର ଭିତରେ ପଶି କଳା କନା ବୁଲାଇ ଦେଇଯାଇଥିଲେ ଲୁଟେରା । ଲୁଟେରା କିଏ, କେମିତି ଆସିଲେ , କୁଆଡେ ଗଲେ , କିଛି ବି ଟେର ପାଇନଥିଲା ପୋଲିସ ? ଏବେ ସ୍ପଷ୍ଟ ହୋଇଛି ୨ ଡକାୟତି ଘଟଣା ପଛରେ ରହିଥିଲା ବାଂଲାଦେଶୀ ଗ୍ୟାଙ୍ଗର ହାତ । ଦିଲ୍ଲୀ ପୋଲିସ ହାତରେ ୨ କୁଖ୍ୟାତ ବାଂଲାଦେଶୀ ଡକାୟତ ଧରାପଡିବା ପରେ ଫିଟୁଛି ଗୁମର । ଭୁବନେଶ୍ୱର ଭଳି ବେଙ୍ଗାଲୁରୁ, ଗୋଆ ଓ ଦିଲ୍ଲୀ ପରି ବଡ ବଡ ସହରରେ ଏମାନେ କରିଛନ୍ତି ଡକାୟତି ।

ବଡ ବଡ ସହରରେ ଡକାୟତି ପାଇଁ ବ୍ଲୁ ପ୍ରିଂଟ କରୁଥିଲା ଏହି ବାଂଲାଦେଶୀ ଗ୍ୟାାଙ୍ଗ । ଆଉ କଳକନା ବୁଲାଇବା ପରେ ପୋଲିସକୁ ଚକମା ଦେଇ ଗୋଟିଏ ରାଜ୍ୟରୁ ଖସି ଯାଉଥିଲେ ଆଉ ଏକ ରାଜ୍ୟକୁ । ଦିଲ୍ଲୀ ପୁଲିସ ହାତରେ ଧରା ପଡିବା ପରେ, ଖୋଲୁଛି ଗୁମର । ବାଂଲାଦେଶୀ ଡକାୟତ ଗ୍ୟାଙ୍ଗରେ ଅଛନ୍ତି କେତେ ସଦସ୍ୟ ? କେଉଁଠି କେଉଁଠି ବୁଲାଇଛନ୍ତି କଳାକନା ? ଲୁଟ୍ ପରେ କେଉଁଠି ଲୁଚାଇଛନ୍ତି ଟଙ୍କା ଓ ସୁନା ଗହଣା ? ଧରାପଡିଥିବା ଡକାୟତି ଦଳକୁ ରିମାଣ୍ଡରେ ଆଣି ଏ ସବୁର ଖୋଳତାଡ କରିବ କମିଶନରେଟ ପୁଲିସ । ଏବେ କମିଶନରେଟ ପୁଲିସ ଗିରଫ ୨ ବାଂଲାଦେଶୀ ଡକାୟତଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ଦିଲ୍ଲୀରେ ଡେରା ପକାଇଛି ।