ଆକ୍ସନ ମୋଡ଼ରେ ପବ୍ଲିକ ! ବିବାଦ ସମାଧାନ କରିବାକୁ ଯାଇଥିଲେ ପୋଲିସ, ଠେଙ୍ଗାରେ ବାଡ଼େଇ ଥାନା ବାବୁଙ୍କ ମୁଣ୍ଡ ଫଠାଇଦେଲେ ଗ୍ରାମବାସୀ

33

କନକ ବ୍ୟୁରୋ : ଆକ୍ସନ ମୋଡ଼ରେ ପବ୍ଲିକ ।ପୋଲିସ ଉପରେ ଗାଁ ଲୋକଙ୍କ ଆକ୍ରମଣ । ଠେଙ୍ଗାରେ ଥାନା ବାବୁଙ୍କ ମୁଣ୍ଡ ଫଟାଇଦେଲେ ଗ୍ରାମବାସୀ । ଅନ୍ୟ ପୋଲିସ କର୍ମଚାରୀଙ୍କୁ ବି ମାଡ ମାରି ଲହୁ ଲୁହାଣ କରିଦେଲେ । ଗଂଜାମ ଜିଲ୍ଲା ତପ୍ତପାଣିରେ ଆଜି ସ୍ଥାନୀୟ ଗ୍ରାମବାସୀ ପୋଲିସ ଉପରେ ରକ୍ତାକ୍ତ ଆକ୍ରମଣ କରିଛନ୍ତି । ଦୁଇ ଗାଁ ଭିତରେ ଲାଗିଥିବା ବିବାଦର ସମାଧାନ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛି ପୋଲିସ ।

ଦୁଇ ଗାଁ ଭିତରେ ଥିବା କଳି ତୁଟାଇବାକୁ ଆସିଥିବା ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ । କାହାର ମୁଣ୍ଡ ଫାଟିଛି ତ ଆଉ କାହାକୁ ତଳେ ପକାଇ ନିର୍ଧୁମ ମାଡ ମାରୁଛନ୍ତି । ପୋଲିସ କର୍ମଚାରୀଙ୍କ ମୁଣ୍ଡରୁ ରକ୍ତ ବୋହିଯାଉଥିଲା, କିନ୍ତୁ ତଥାପି ଛାଡିବାକୁ ନାରାଜ ଉତ୍ୟକ୍ତ ଲୋକ । ଅଶ୍ଳୀଳ ଗାଳି ଗୁଲଜ କରିବା ସହ ଅମାନବୀୟ ଭାବେ ମାଡ ମାରୁଥିଲେ । ଆଉ ଲୋକଙ୍କ ଆକ୍ରମଣରେ ପାଟପୁର ଥାନା ଅଧିକାରୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ ।

ଗଂଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟରେ ସକାଳୁ ସକାଳୁ ଉତେଜନା ଦେଖାଦେଇଥିଲା । ସ୍ଥାନୀୟ ଅଂଚଳର ଜଣେ ଟ୍ରକ୍ ଡ୍ରାଇଭରଙ୍କୁ କିଛି ଯୁବକଙ୍କ ମାଡ ପ୍ରତିବାଦରେ ଲୋକେ ମେଳି ବାନ୍ଧିଥିଲେ । ବିବାଦ ତୁଟାଇବାକୁ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ହେଲେ ଉତ୍ୟକ୍ତ ଲୋକ, ଓଲଟା ପୋଲିସ ଉପରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ । ଆଉ ଗୋଡ଼ାଇ ଗୋଡ଼ାଇ ପୋଲିସକୁ ପିଟିଥିଲେ । ଏବେ ବ୍ରହ୍ମପୁର ବଡ ମେଡିକାଲରେ ଗୁରୁତର ଥାନା ଅଧିକାରୀ ଓ ଏସ୍ଆଇଙ୍କ ଚିକିତ୍ସା ଚାଲିଛି । ସେପଟେ ପୋଲିସ ଉପରେ ଆକ୍ରମଣ କରିଥିବା ଗାଁଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଂଜାମ ଏସପି କହିଛନ୍ତି ।