ଡି-ବ୍ରଦର୍ସଙ୍କ ଷଡଯନ୍ତ୍ରରେ ସାମିଲ ବିଜେଡି କର୍ପୋରେଟର । ଟାର୍ଗେଟକୁ ରାସ୍ତାରୁ ହଟାଇବା ପାଇଁ ଅପରାଧୀକୁ ଯୋଗାଇ ଦେଇଥିଲେ ବନ୍ଧୁକ

21

କନକ ବ୍ୟୁରୋ: ଡି-ବ୍ରଦର୍ସ ଲିଙ୍କରେ ଗିରଫ ବିଜେଡି କର୍ପୋରେଟର । କଟକ ୭ ନମ୍ବର ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତାଙ୍କ ଘର ଓ ମଙ୍ଗଳାବାଗରେ ଥିବା ଦୋକାନରେ ଚଢାଉ କରି ଅଧିକ ଖୋଳତାଡ ଚଳାଇଛି । ରଞ୍ଜିତାଙ୍କ ତିନୋଟି ମୋବାଇଲ ଫୋନକୁ ଜବତ କରି କଲ ଡିଟେଲ୍ସରୁ ଜାଣିବାକୁ ଚାହୁଁଛି ଯେ, କୁଖ୍ୟାତ ଡି-ବ୍ରଦର୍ସ ଗ୍ୟାଙ୍ଗ ସହ ଆଉ କେଉଁମାନେ ସଂପୃକ୍ତ ।

ଧଳସାମନ୍ତ ବ୍ରଦର୍ସଙ୍କ ସହ ସଂପୃକ୍ତି ଅଭିଯୋଗରେ ପୋଲିସ କବଜାରେ କଟକ ମହାନଗର ନିଗମର କର୍ପୋରେଟର ରଞ୍ଜିତା ବିଶ୍ୱାଳ । ପୋଲିସର କହିବା ହେଲା, ଡି ବ୍ରଦର୍ସ ଟାର୍ଗେଟରେ ଥିଲେ ବିଜନ ପାଲ ନାମକ ଜଣେ ବ୍ୟକ୍ତି । ଆଉ ଏଥିପାଇଁ ସୁଶାନ୍ତ ଧଳସାମନ୍ତ, ତାସହ ଜେଲରେ ବନ୍ଦୀଥିବା ଜଣେ ଅପରାଧୀ ମିକୁକୁ ହାୟର କରିଥିଲା । ମିକୁ ଜେଲରୁ ବାହାରିବା ପରେ ବିଜନପାଲଙ୍କୁ ରାସ୍ତାରୁ ହଟାଇ ଦେବାପାଇଁ ଯୋଜନା ପ୍ରସ୍ତୁତ କଲା । ଆଉ ଏଥିପାଇଁ ଦରକାର ଥିବା ବନ୍ଧୁକ ଯୋଗାଇ ଦେଇଥିଲେ କର୍ପୋରେଟର ରଞ୍ଜିତା ବିଶ୍ୱାଳ । ରଞ୍ଜିତା ବନ୍ଧୁକ ଆଣି କୁନା ବେହେରାକୁ ଦେଇଥିଲେ ଆଉ କୁନା ବେହେରା ପୁରା ଯୋଜନାକୁ ରୂପ ଦେବା ପାଇଁ ସେହି ବନ୍ଧୁକ ମିକୁକୁ ଦେଇଥିଲା । ଫେବ୍ରୁଆରୀ ୨୩ ତାରିଖରେ ବିଜନ ପାଲଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ମିକୁକୁ ଗୁରଫ କରିବା ପରେ ପୋଲିସ ରଞ୍ଜିତାଙ୍କ ସଂପୃକ୍ତିର ସୁରାକ ପାଇଥିଲା ।

ମିକୁର ତଥ୍ୟ ଆଧାରରେ ପ୍ରଥମେ କୁନା ବେହାରାକୁ ଏନକାଉଂଟର କରିଥିଲା କମିଶନରେଟ ପୋଲିସ । ଏହାପରେ ପୋଲିସ ରଞ୍ଜିତାଙ୍କ ସଂପୃକ୍ତିର ପ୍ରମାଣ ଯୋଗାଡ କରୁଥିଲା । ଆଉ ଶେଷରେ ତାଙ୍କୁ ଗିରଫ କରିବା ସହ ଆଇପିସିର ଧାରା- ୩୦୭ ଅର୍ଥାତ ହତ୍ୟା ଉଦ୍ୟମ, ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ବେଆଇନ ଭାବେ ଅସ୍ତ୍ରଶସ୍ତ ରଖିବା ଅଭିଯୋଗରେ ଅର୍ମ୍ସ ଆକ୍ଟର ଧାରା ୨୫ ଓ ୨୭ ଏବଂ ଏକାଧିକ ବ୍ୟକ୍ତି ମିଳିତ ଭାବେ ମନ୍ଦ ଉଦ୍ଦେଶ୍ୟ ରଖି କାମ କରିବା ଅଭିଯୋଗରେ ଆଇପିସିର ଦଫା ୩୪ ଲଗାଇଛି ପୋଲିସ ।

ଡି-ବ୍ରଦର୍ସ ଲିଙ୍କରେ ପୂର୍ବରୁ ମଧ୍ୟ ରଞ୍ଜିତା ବିଶ୍ୱାଳଙ୍କୁ ପୋଲିସ ବହୁବାର ଜେରା କରିଛି । ହେଲେ ଏବେ ସିଧାସଲଖ ଏକ ହତ୍ୟା ଉଦ୍ୟମରେ ସଂପୃକ୍ତି ପଦାକୁ ଆସିବା ପରେ ଗିରଫ କରି ନେଇଛି । ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ, ରଞ୍ଜିତା ଏହି ବନ୍ଧୁକ କେଉଁଠାରୁ ଆଣିଥିଲେ ସେନେଇ ଛାନଭିନ ଚଳାଇଛି ପୋଲିସ । ସେପଟେ ରଞ୍ଜିତା ବିଶ୍ୱାଳଙ୍କୁ ବଜେଡି ଦଳରୁ ନିଲମ୍ବିତ କରିଛି ।