ନାବାଳକ ପକେଟମାରର କାହାଣୀ ! ପୁଅକୁ ବାପା ଶିଖାଇଥିଲା କିପରି କରିବ ଚୋରୀ

49

କନକ ବ୍ୟୁରୋ : କମିଶନରେଟ ପୋଲିସ କବଜାରେ ନାବାଳକ ଚେନ ଲୁଟେରା । ପୂଜା ବଜାରରେ ଭିଡର ଫାଇଦା ନେଇ ମହିଳାଙ୍କ ବେକରୁ ଚେନ ଓ ପୁରୁଷଙ୍କ ପକେଟରୁ ପର୍ସ ଚୋରୁ କରୁଥିବା ଏମିତି ଅନେକ ଲୁଟେରାଙ୍କୁ କାବୁ କରିଛି ପୋଲିସ । ପୂଜା ବଜାରରେ ବେଲୁନ ବିକିବାକୁ ପଶ୍ଚିମବଙ୍ଗ ଓ ବିହାରରୁ ଆସି ଏମିତି ଛୋଟ ଛୋଟ ପିଲାଙ୍କ ଗ୍ୟାଙ୍ଗ ଲୁଟ କରୁଥିଲେ । ଜଣେ ମହିଳାଙ୍କ ବେକରୁ ଚେନ ଚୋରି କରିବା ସମୟରେ ଧରା ପଡିଛନ୍ତି ଏହି ୨ ଭାଇ । ଆଉ କନକନ୍ୟୁଜ କ୍ୟାମେରାରେ ଏମାନେ ଯେଉଁ ବୟାନ ରଖିଛନ୍ତି, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ପିଲାଙ୍କୁ ଚୋରି ଶିଖାଇଛି ବାପା । ପାଠଶାଠ ପଢିବାକୁ ମନା କରିବା ସହ ଭିଡ ଭିତରେ କେମିତି ଚେନ ଓ ପର୍ସ ଲୁଟ କରିହେବ, ତାର ଟିକିନିକି କୌଶଳ ଶିଖାଇଛି ।

ମାଛ ଧରା ବନିଶୀ କଂଟା ସାହାଯ୍ୟରେ ପ୍ରଥମେ ମହିଳାଙ୍କ ବେକରୁ ଚେନକୁ ଭିଡି ଧରନ୍ତି ଏହି ଲୁଟେରା । ଓ ପରେ ଏହାକୁ ବ୍ଲେଡ ସାହାଯ୍ୟରେ କାଟି ଅତି ସହଜରେ ଚଂପଟ ମାରନ୍ତି । ସବୁଠାରୁବ ବଡ କଥା ହେଉଛି, ବଜାରରେ ବେଲୁନ ଧରି ବିକୁଥିବା ଏହି ଛୋଟ ଛୋଟ ପିଲାଙ୍କୁ କେହି ସନ୍ଦେହ ବି କରନ୍ତି ନାହିଁ । ଏମାନଙ୍କୁ କାବୁ କରିବା ପାଇଁ କମିଶନରେଟ ପୋଲିସ ସାଧା ପୋଷାକରେ କିଛି କର୍ମଚାରୀଙ୍କୁ ବିଭିନ୍ନ ପୂଜା ମଣ୍ଡପରେ ନିୟୋଜିତ କରିବା ସହ କମିଟି ସ୍ୱଚ୍ଛାସେବୀମାନଙ୍କ ସହାୟତା ନେଇଥିଲା ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।