ପାଇଖାନା ଯିବି ବୋଲି କହି ପୋଲିସ ଆଖିରେ ଧୂଳି ଦେଇ ଛୁ ମାରିଲା ଅଭିଯୁକ୍ତ ! ରାତିସାରା ଖୋଜି ଖୋଜି ନୟାନ୍ତ ହେଲା ପୋଲିସ

30

କନକ ବ୍ୟୁରୋ: ପୁଲିସ ହେପାଜତରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଶନିବାର କ୍ୟାପିଟାଲ ହସ୍ପିଟାଲ ପାଇଖାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ । ପୁଲିସ ହେପାଜତରୁ ଅତି ଚତୁରତାର ସହ ଚମ୍ପଟ ମାରିଥିଲା ହେଲେ ପୁଣି ପୁଲିସ ଜାଲରେ ପଡିଗଲା । ପାଖରେ ଟଙ୍କା ନଥିବାରୁ ରାଜଧାନୀ ଛାଡି ପାରି ନଥିଲା ଏହି ଅଭିଯୁକ୍ତ ଜଣକ । ହସ୍ପିଟାଲରୁ ଖସି ସିଧା ସଳଖ ନିଜ ଗାଁ ଭୁବନେଶ୍ୱର ଉପକଣ୍ଠ ପାଂଚଗାଁକୁ ଯାଇଥିଲା ଅଭିଯୁକ୍ତ ଜଣକ । ଆଉ ରାତି ତମାମ ଅଭିଯୁକ୍ତକୁ ଖୋଜି ଖୋଜି ନାକେଦମ୍ ହୋଇଥିବା ପୁଲିସ ଶେଷରେ ତାକୁ ପାଇ ମାଡି ବସିଥିଲା ।

ଏହି ଘଟଣା ଶୁଣିବାକୁ ଯେତିକି ଆମୋଦ ଦାୟକ ଲାଗୁଛି , ପୁଲିସ ପାଇଁ କିନ୍ତୁ ଥିଲା ସେତିକି ବଡ ଚ୍ୟାଲେଞ୍ଜ । କାରଣ ପାଇଖାନା ଯିବ ବୋଲି କହି ପୁଲିସକୁ ବୋକା ବନାଇ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଏକ ଗଣ୍ଡଗୋଳ ମାମଲାରେ ଏହି ଅଭିଯୁକ୍ତ ଜଣକୁ ପୁଲିସ ଗିରଫ କରିଥିଲା । ଶନିବାର ସଂଧ୍ୟାରେ ପୁଲିସ ବାବୁ ମାନେ ମେଡିକାଲ ଚେକଅପ୍ ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଏହି ସମୟରେ ପାଇଖାନା ଲାଗୁଛି ବୋଲି କହି କାକୁତି ମିନତି ହେଲା ଅଭିଯୁକ୍ତ । ପୁଲିସ ବାବୁ ମାନେ ତାକୁ ପାଇଖାନାର ରାସ୍ତା ଦେଖାଇଥିଲେ । ହେଲେ ସେ ଗଲା ଯେ ଆଉ ଫେରିଲାନି । ଦେଖିଲା ବେଳକୁ ଲାଟିନର ଝରକା ଭାଙ୍ଗି ଅଭିଯୁକ୍ତ ଜଣକ ଚମ୍ପଟ ମାରି ସାରିଥିଲା । ଯାହା ପୁଲିସର ନିଦ ହଜାଇ ଦେଇଥିଲା । ଶେଷରେ ୫ ଘଂଟା ଧରି ଅନିଦ୍ରା ରହିବା ପରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ।