ହକ୍ ପାଇଁ ଲଢେଇ ହରତାଳରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା! ୩ ଯୁବକଙ୍କୁ ଗିରଫ କଲା ପୋଲିସ

37

କନକ ବ୍ୟୁରୋ : ଗତକାଲି ବିଜେଡିର ହରତାଳ ସମୟରେ ଡେଲଟା ଛକରେ ଜଣେ ଯୁବତୀଙ୍କୁ ହଇରାଣ ହରକତ କରିବା ଅଭିଯୋଗରେ ଆଜି ଖଣ୍ଡଗିରି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ତୈଳ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ବିଜେଡିର ହକ୍ ପାଇଁ ଲଢେଇ ହରତାଳ ସମୟରେ ଜଣେ ଯୁବତୀ ନିଜ ସ୍କୁଟିରେ ଯାଉଥିବା ବେଳେ କେତେକ ଯୁବକ ତାଙ୍କୁ ଅଟକାଇ ଦୁର୍ବ୍ୟବହାର କରିବା ସହିତ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏକୁଟିଆ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଘେରି ଯାଇଥିଲେ ବିଜେଡିର କିଛି କର୍ମୀ । ଯୁବତୀଙ୍କୁ ଏକୁଟିଆ ପାଇ ପ୍ରାୟ ୨୦ରୁ ୩୦ ଜଣ ବିଜେଡି କର୍ମୀ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା ।

ବାରମ୍ବାର କହିବା ପରେ ମଧ୍ୟ କେହି ଶୁଣି ନଥିଲେ ଯୁତୀଙ୍କ କଥା । ଠେଙ୍ଗାରେ ବାରମ୍ବାର ତାଙ୍କ ଗାଡିକୁ ପିଟି ଚାଲିଥିଲେ ବିଜେଡି କର୍ମୀ । କେବଳ ଏତିକି ନୁହେଁ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ଆଉ ଶେଷରେ କୌଣସି ଉପାୟ ନ ପାଇ ଫେରିଯାଇଥିଲେ ଯୁବତୀ । ଏହି ଘଟଣାରେ ଖଣ୍ଡଗିରି ପୁଲିସ ଦଫା ୧୪୩, ୧୪୭, ୧୪୯, ୨୯୪, ୩୨୯, ୩୫୪ ଓ ୫୦୪ରେ ୪୧୫/୧୭ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏହି ଘଟଣାରେ ତଦନ୍ତ ଚାଲୁ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ବିଜେଡି ଅନେକ ସମୟରେ ମା’କୁ ସମ୍ମାନ ନାରା ଦେଇଥାଏ । କିନ୍ତୁ ଗତକାଲି ହକ୍ ପାଇଁ ଲଢେଇ ହରତାଳ ସମୟରେ ବିଜେଡି ଯେପରି ମହିଳା ଓ ଯୁବତୀଙ୍କ ଉପରେ ଆକ୍ରମଣ କରିଲା ତାହା ବାସ୍ତବରେ ବେଶ୍ ଲଜ୍ଜାଜନକ ବିଷୟ ।