ବାଇକ ଦେଲା ଧୋକା ! ଗହଣା ଦୋକାନ ଚୋରି ଖସି ପଳାଉଥିବା ବେଳେ ପୋଲିସ ହାତରେ ଧରାପଡିଲେ ୨ ଡକାୟତ

37

କନକ ବ୍ୟୁରୋ : ଉଦଳା ଅଂଚଳରୁ ଗହଣା ଚୋରି କରି ଖସି ପଳାଉଥିବା ବେଳେ ୨ ଡକାୟତଙ୍କୁ ନୀଳଗିରି ପୋଲିସ କାବୁ କରିଛି । ସଂଧ୍ୟା ୮ଟା ସମୟରେ ଉଦଳାସ୍ଥିତ ଏକ ଗହଣା ଦୋକାନରେ ବୋମା ମାଡ଼ ସହ ଗୁଳି ଚଳାଇ ଗହଣା ଚୋରିକରି ନୀଳଗିରି ଦେଇ ଫେରାର ହେଉଥିବା ବେଳେ ନୀଳଗିରି ପୋଲିସ ଚଢ଼ାଉ ଆରମ୍ଭ କରିଥିଲା । ଗହଣା ଦୋକାନରୁ ଚୋରି ହେବା ପରେ ପୋଲିସ ପୂରା ଅଞ୍ଚଳକୁ ଘେରାବନ୍ଦି କରି ନେଇଥିଲା ।

ସଦନାଗଡ଼ ଅଂଚଳରେ ଚେକିଂ ଚାଲିଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଦୁର୍ବୃତ ଆସି ପୋଲିସ ଉପରକୁ ଫଲ୍ସ ଫାଇରିଂ କରି ସନ୍ତରାଗଡ଼ିଆ ଅଂଚଳକୁ ଚାଲିଯାଇଥିଲେ । ତେବେ ଏହି ସମୟରେ ଆଉ ଏକ ପଲସର ଗାଡ଼ି କପ୍ତିପଦା ଆଡ଼କୁ ମୁହାଁଇଥିଲା । ଏହି ସମୟରେ ଛତ୍ରପୁର ଅଂଚଳର ଏକ ହମ୍ପସରେ ବାଇକ ପଡ଼ିଯିବା ପରେ ପୋଲିସ ଓ ସ୍ଥାନୀୟ ଲୋକେ ୨ ଡକାୟତଙ୍କୁ କାବୁ କରିଥିଲେ । ଘଟଣାସ୍ଥଳରୁ ଜଣେ ଦୁର୍ବୃତ ଖସି ପଳାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

ସେମାନଙ୍କଠାରୁ ଏକ ପଲସର ବାଇକ୍ ଓ ଏକ ରିଭରଭଲ ପୋଲିସ ଜବତ କରିଛି । ଉଦଳା ଥାନା ଛକରେ ଥିବା ଗହଣା ଦୋକାନ ଉପରକୁ ବୋମା ଓ ଗୁଳି ମାଡ କରିବା ଫଳରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଓ ପରେ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।