ମୈଦାନରେ ମୁହାଁମୁହିଁ ହେଲେ ବିଧାୟକ ଓ ଲେଡି ଦବଙ୍ଗ ପୋଲିସ ଅଫିସର ! ଜାଣନ୍ତୁ କଣ ଥିଲା ପୂରା ଘଟଣା

76

କନକ ବ୍ୟୁରୋ : ବାଡିଖେଳରେ ମସଗୁଲ ପୋଲିସ ଓ ବିଧାୟକ । ଆଉ ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ପୋଲିସ-ବିଧାୟକଙ୍କ ବାଡି ଖେଳ ଦେଖି ଲୋକଙ୍କ କରତାଳିରେ ଫାଟି ପଡ଼ୁଛି ପୁରା ଅଞ୍ଚଳ । ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଲେଶ୍ୱରର ଏହି ଘଟଣା ଏବେ ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ତୁଡିଗଡିଆ ନିକଟସ୍ଥ ତେନ୍ତୁଳିଆ ପଡା ମୁସଲିମ ବସ୍ତିରେ ମହରମ ପର୍ବ ପାଳିତ ହୋଇଥିଲା । ଆଉ ଏହି ଅବସରରେ ବସ୍ତି ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ତାଜିଆ ଶୋଭା ଯାତ୍ରା ବସ୍ତିରୁ ବାହାରି ତୁଡିଗଡିଆ ବଜାର ପରିକ୍ରମା କରିଥିଲା । ଯେଉଁଥିରେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ସାମିଲ ହୋଇଥିଲେ । ଆଉ ଏହି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ଥାନାଅଧିକାରୀ ଲୋପାମୁଦ୍ରା ନାୟକଙ୍କ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ । ତେବେ ପରମ୍ପରା ଅନୁଯାୟୀ ଶୋଭାଯାତ୍ରା ଶେଷରେ ବାଡିଖେଳ ଅନୁଷ୍ଠିତ ହୋଇଥିଲା ।

ବାଡିଖେଳରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକଙ୍କ ଅନୁରୋଧ କ୍ରମେ ବାଡି ଖେଳିବାକୁ ମୈଦାନକୁ ଓହ୍ଲାଇଥିଲେ ବିଧାୟକ ଓ ପୋଲିସ । ମୈଦାନରେ ଥିଲେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଲେଡି ଦବଙ୍ଗ ଅଫିସର ଲୋପାମୁଦ୍ରା ନାୟକ । ବେଶ କିଛି ସମୟ ଉଭୟଙ୍କ ମଧ୍ୟରେ ହୋଇଥିଲା ବାଡିଖେଳ । ଯାହାକୁ ବେଶ ଉପଭୋଗ କରିଥିଲେ ଉପସ୍ଥିତ ଲୋକେ । ବିଧାୟକ-ପୋଲିସ ଅଧିକାରୀଙ୍କ ବାଡି ଖେଳ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏକ ଭିନ୍ନ ବାର୍ତ୍ତ ଦେଇଛି । ପୋଲିସ କମିଶନର ସାଧାରଣ ଲୋକଙ୍କ ସହ ସୁସର୍ମ୍ପକ ସ୍ଥାପନ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ବିଧାୟକ-ପୋଲିସଙ୍କ ବାଡିଖେଳ ଏ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଲେଡି ଦବଙ୍ଗ ଅଫିସର ଭାବେ ଖଇରା ଥାନା ଅଧିକାରୀ ଲୋପାମୁଦ୍ରା ନାୟକ ଜଣାଶୁଣା । ପିପୁଲ ଫ୍ରେଣ୍ଡଲି କାର୍ଯ୍ୟ ପାଇଁ ପୂରା ଅଞ୍ଚଳରେ ଲୋପାମୁଦ୍ରା ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ।