ଚାନ୍ଦା ମାଗିଲେ ବାନ୍ଧିବ ପୋଲିସ । ପୂଜା ପୂର୍ବରୁ ଚାନ୍ଦାକୁ ନେଇ କଟକଣା ଜାରି କଲା ପୋଲିସ

88

କନକ ବ୍ୟୁରୋ : ଦୁର୍ଗାପୁଜାରେ ଚାନ୍ଦାକୁ ନେଇ ସାରା ରାଜ୍ୟରେ କଟକଣା ଜାରି କରିଛି ପୁଲିସ । ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବେଆଇନ ଦର୍ଶାଯାଇଛି । ଯଦି କୌଣସି ପୁଜା କମିଟି ପକ୍ଷରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାଗଲା ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି । ରାଜ୍ୟର ସବୁ ଏସପିଙ୍କୁ ଏନେଇ ନିର୍ଦେଶନାମା ଜାରି କରିଛନ୍ତି ପୁଲିସ ଡିଜି । ଚାନ୍ଦା ମାଗିଲେ ବନ୍ଧା ହେବେ ବୋଲି ପୁଲିସ କହିଛି । ବିଭିନ୍ନ ସମୟରେ ପୂଜା କମିଟିର ସଦସ୍ୟ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ପୂର୍ବରୁ ଆସେ ତେଣୁ ଏଥର ଆଗୁଆ ଆଡଭାଇଜରୀ ଜାରି କରାଯାଇଛି । ଯେଉଁଥିରେ ପୂଜା ପୂର୍ବରୁ ଥାନା ଅଧିନରେ ଥିବା ପୂଜା କମିଟି ଗୁଡିକ ସହିତ ପ୍ରସ୍ତୁତି ବୈଠକ କରିବେ ବୋଲି କୁହାଯାଇଛି ।

ତେବେ ଯଦି କୌଣସି ବ୍ୟକ୍ତି ବିଶେଷଙ୍କ ଠାରୁ ଜୋର ଜବର ଦସ୍ତ ଚାନ୍ଦା ଆଦାୟ କରାଯାଉଥାଏ ସେମାନେ ନିକଟସ୍ଥ ପୁଲିସ ଥାନାରେ ଅଭିଯୋଗ କରି ପାରିବେ । ଅନ୍ୟପଟେ ପୁଜା କମିଟି ସଦସ୍ୟ ମାନେ କହିଛନ୍ତି କୌଣସି ବ୍ୟକ୍ତିଙ୍କ ଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାଯାଏନି, ଯେଉଁମାନେ ଚାହିଁବେ ନିଜ ଇଛାରେ ପୁଜା ମଣ୍ଡପକୁ ଦାନ କରିପାରିବେ ।