ମହିଳାଙ୍କ ସୁରକ୍ଷା ପାଇଁ ୟୁପି ସରକାରଙ୍କ ନୂଆ ପଦକ୍ଷେପ ! ରୋଡ୍ ସାଇଡ୍ ରୋମିଓଙ୍କୁ ‘ରେଡ୍ କାର୍ଡ’ ଧରାଇବ ପୁଲିସ୍

36

କନକ ବ୍ୟୁରୋ : ଆଉ ରାଜରାସ୍ତାରେ ଲଜ୍ଜିତ ହେବେ ନାହିଁ ଯୁବତୀ । ଛାତ୍ରୀ ତଥା ମହିଳାମାନଙ୍କୁ କମେଂଟ୍ ଏବଂ ଅସଦାଚରଣ କରୁଥିବା ଅଭିଯୁକ୍ତକୁ ମିଳିବ ରେଡ୍ କାର୍ଡ । ମହିଳାଙ୍କ ସୁରକ୍ଷା ପାଇଁ ଏକ ଏଭଳି ନୂଆ ତରିକା ଆପଣେଇଛି ଉତ୍ତରପ୍ରଦେଶ ପୁଲିସ୍ । ପ୍ରତ୍ୟେକ ସ୍କୁଲ୍ ଓ କଲେଜ୍ ଯାଇ ଏକ ଫିଡବ୍ୟାକ୍ ଫର୍ମ ବାଂଟିଛି ୟୁପି ପୁଲିସ୍ । ଏହି ଫର୍ମରେ ଝିଅ ମାନେ ନିଜ ସହ ଅସଦାଚରଣ କରିଥିବା ଯୁବକମାନଙ୍କ ବିଷୟରେ ସୂଚନା ଦେଇପାରିବେ ।

ହଜାର ହଜାର ସଂଖ୍ୟକ ଫର୍ମ ଏହା ଭିତରେ ବାଂଟି ସାରିଛି ୟୁପି ପୁଲିସ୍ । ତେବେ ପ୍ରାୟ ୧୦ହଜାରରୁ ଅଧିକ ଛାତ୍ରୀ ଏହି ଫର୍ମ ଦ୍ୱାରା ପୁଲିସକୁ ନିଜ ଫିଡବ୍ୟାକ୍ ଦେଇସାରିଛନ୍ତି । ଏବେ ଏହି ଯୁବତୀମାନଙ୍କ ସହ ଅସଦାଚରଣ କରୁଥିବା ଯୁବକଙ୍କୁ ଧରାଇଦିଆଯିବ ରେଡ୍ କାର୍ଡ । ଅର୍ଥାତ୍ ଏବେ ସେମାନେ ରହିବେ ପୁଲିସ ସ୍କାନରରେ ।

ଛାତ୍ରୀ ମାନଙ୍କ ଫିଡବ୍ୟାକ୍ ଅଧାରରେ ପୁଲିସ୍ ବିଭିନ୍ନ ମଲ୍, ଦୋକାନ ,ପାର୍କ , ମନ୍ଦିର ସହ ସ୍କୁଲ୍ କଲେଜ ନିକଟରେ ସାଧା ପୋଷାକରେ ଛିଡା ହେବେ । ଫଳରେ ରାସ୍ତାଘାଟରେ ଯୁବତୀମାନଙ୍କ ମାନଙ୍କୁ କମେଂଟ୍ କରିବା ସହ ଜବରଦସ୍ତ କରୁଥିବା ବ୍ୟକ୍ତିଙ୍କୁ ଧରି ସେହିଠାରେ ହିଁ ରେଡ୍ କାର୍ଡ ଧରାଇବ ପୁଲିସ୍ । ରେଡ୍ କାର୍ଡ ପାଇଥିବା ଯୁବକ ପୁଣିଥରେ ଏପରି କଲେ ଅଭିଯୁକ୍ତ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପୁଲିସ୍ କହିବା ଅନୁଯାୟୀ, ଯୁବତୀମାନଙ୍କୁ କମେଂଟ୍ କରିବା ସହ ଅଶ୍ଳୀଳ ବ୍ୟବହାର କରିବା ଭଳି ଘଟଣା ଲଗାତାର ଭାବରେ ଆସୁଛି । ଫଳରେ ଏଭଳି ଯୁବକ ମାନଙ୍କ ଠିକଣା ଏବଂ ଅଡ୍ଡା ଜାଣିବା ପାଇଁ ସ୍କୁଲ୍ କଲେଜ୍ ବୁଲି ଫିଡବ୍ୟାକ୍ ଫର୍ମ ଦେଇଛି ପୁଲିସ୍ । ତେବେ ରେଡ୍ କାର୍ଡ ଦେବାର ଉଦ୍ଦେଶ୍ୟ ହେଉଛି ଏହି ଯୁବକ ମାନଙ୍କୁ ଚେତାବନୀ ଦେବା ଯେ ସେମାନଙ୍କ ନାଁ ପୁଲିସ୍ ରେକର୍ଡରେ ରହିସାରିଛି । ଆଗକୁ ଏଭଳି କୌଣସି କାରନାମା କଲେ ପୁଲିସ୍ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇପାରିବେନି । ଏହା ସହ ଆଉ ଏକ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଅଡ୍ଡାକୁ ଚିହ୍ନଟ କରିବା । ଫଳରେ ସମୟ ସମୟରେ ପୁଲିସ୍ ସେଠାରେ ଚଢଉ କରିପାରିବ ।