ପୋଲାଭରମ ପ୍ରସଙ୍ଗରେ ପଛରେ ପଡିଲା ଓଡିଶା : ଆନ୍ଧ୍ରକୁ ଗେହ୍ଲା ପୁଅ କଲେ କେନ୍ଦ୍ର ସରକାର

26

କନକ ବ୍ୟୁରୋ : ପୁଣି ଓଡିଶାକୁ ପୋଲାଭରମ ଝଟକା । ଏହି ପ୍ରସଙ୍ଗରେ ପଛରେ ପଡିଲା ରାଜ୍ୟ । ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ନିର୍ମାଣଧିନ ପୋଲାଭରମ ପ୍ରକଳ୍ପ ପାଇଁ ସବୁ ଅର୍ଥ ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ବେଳେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ଅରୁଣଙ୍କ ଏହି ଘୋଷଣା ପରେ ଓଡିଶାକୁ ଲାଗିଛି ଝଟକା । ୨୦୧୪ଏପ୍ରିଲ ୧ତାରିଖରୁ ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତ ମିଳିସାରିଛି ।

ସେବେଠାରୁ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ତେବେ ପ୍ରକଳ୍ପର ନିର୍ମାଣ କାମ ରାଜ୍ୟ ସରକାର କରିବେ । ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡ଼ିଶା ଅନେକ ଅଂଚଳ କ୍ଷତିଗ୍ରସ୍ତ ହେବା ନେଇ ଓଡ଼ିଶା, ଏହି ପ୍ରକଳ୍ପକୁ ବିରୋଧ କରିଆସୁଛି । ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପ ନିର୍ମାଣ ପୂର୍ବରୁ କ୍ଷତିଗ୍ରସ୍ତ ହେବାକୁ ଥିବା ଅଂଚଳରେ ଜନଣୁଣାଣି କରିନଥିବା ଦର୍ଶାଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ମାମଲାର ଶୁଣାଣି ଜାରି ରହିଥିବା ବେଳେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ନେଇ ପୁଣି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।