ପୋଲାଭରମ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପକ୍ଷ ରଖିଲା ଓଡିଶା । ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପରେ ଆପୋଷ ସମାଧାନ ପାଇଁ ରାଜ୍ୟର ପ୍ରସ୍ତାବ ।

67

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟରେ ୨ ଜଣିଆ ଖଣ୍ଡିପୀଠରେ ଏହି ମାମଲାର ଶୁଣାଣି ହୋଇଛି । ପ୍ରକଳ୍ପ ସମ୍ପର୍କରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର । ପୋଲାଭରମ ବିବାଦରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପରେ ଆପୋଷ ସମାଧାନ ପାଇଁ ପ୍ରସ୍ତାବ ରଖିଛନ୍ତି ଓଡିଶା ଆଇନଜୀବୀ ।

ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ପୂର୍ବରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବା କୁହାଯାଇଛି । ତେବେ ଆଜି ପୋଲାଭରମ ପ୍ରସଙ୍ଗରେ ଓଡିଶା ପକ୍ଷ ରଖିଥିବା ବେଳେ ମାମଲାର ପରବର୍ତୀ ଶୁଣାଣୀ ୨୦୧୮ ଫେବୃଆରୀରେ ହେବ । ପୋଲାଭରମ ପ୍ରକଳ୍ପକୁ ନେଇ ଏବେ ସୁପ୍ରିମକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି ।

ଗତ ମାସରେ ମାମଲାର ଶୁଣାଣି କରି କେନ୍ଦ୍ରକୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୁଇବର୍ଷ ଧରି ଏ ନେଇ ଜବାବ ଦାଖଲ କରିପାରିନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ୨୦ ହଜାର ଟଙ୍କାର ଜୋରିମାନା ବି କରିଥିଲେ । ଆନ୍ଧ୍ର ସରକାର ୨୦୧୯ ସୁଦ୍ଧା ପୋଲାଭରମ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ଏହା ଏକ ଜାତୀୟ ପ୍ରକଳ୍ପ । ଏହା ୨୦୧୮ ସୁଦ୍ଧା ଶେଷ ହେବାର ଥିଲା । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳପ କାମ ହେବ ।

ସେପଟେ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ବାହିନୀପତି କହିଛନ୍ତି ଏହା ଆଦିବାସୀଙ୍କ ଜୀବିକାର କଥା । ଆଦିବାସୀଙ୍କୁ ଭଲ ପାଉଥିଲେ ସରକାର ବିରୋଧୀଙ୍କୁ ବିଶ୍ୱାସକୁ ନିଅନ୍ତୁ । ତା ସହ ନବୀନ ଚାହିଁଥିଲେ ୧୫ବର୍ଷ ଆଗରୁ ଏହାର ସମାଧାନ ହୋଇଥାନ୍ତା ବୋଲି ସେ କହିଛନ୍ତି ।

ଏବଂ ଦିଲ୍ଲୀ ଯାଇ ଏକାଠି ଧାରଣା ଦେବାକୁ ସେ କହିଛନ୍ତି । ସେପଟେ କେନ୍ଦ୍ର ଓ ଆନ୍ଧ୍ର ହାତ ମିଳାଇଥିବା କହିଛନ୍ତି ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ପାତ୍ର । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଆମେ ନ୍ୟାୟ ପାଇବୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ।