ଓଡିଶାକୁ ପୋଲାଭରମ ଝଟକା : ଆଉ ୨ ବର୍ଷ କାମ ଜାରି ରଖିବାକୁ ଆନ୍ଧ୍ରକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ,ସ୍ପଷ୍ଟ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

133

କନକ ବ୍ୟୁରୋ : ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଓଡିଶାକୁ ଝଟକା । ଆଉ ୨ ବର୍ଷ ନିର୍ମାଣ କାମ ଚାଲୁ ରଖିବାକୁ ଆନ୍ଧ୍ର ପ୍ରଦେଶକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରକଳ୍ପ କାମ ବନ୍ଦ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଆଦେଶନାମାକୁ ମୋଦି ସରକାର ଷଷ୍ଠ ଥର ପାଇଁ ସ୍ଥଗିତ ରଖିଛନ୍ତି । ପରିବେଶ ମଂଜୁରୀ ଉଲଂଘନ ପ୍ରସଙ୍ଗରେ ୨୦୧୧ର କାର୍ଯ୍ୟବନ୍ଦ ଆଦେଶନାମାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଏବେ ଆଗାମୀ ୨ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶକୁ ପୋଲାଭରମ୍ ନିର୍ମାଣ କାମ ଚାଲୁ ରଖିବାକୁ ଅନୁମତି ଦିଆଯାଇଥିବା କେନ୍ଦ୍ର ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି ।

ଗତବର୍ଷ ଜୁଲାଇ ୧୦ ତାରିଖରେ ବର୍ଷକ ପାଇଁ ପୋଲାଭରମ୍ କାମ ଉପରେ ରୋକ୍ ଲାଗିଥିଲା । ଏହାକୁ ବିରୋଧ କରି ଓଡିଶା ଓ ତେଲେଙ୍ଗାନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଛତିଶଗଡ ସରକାର ଓଡିଶାର ଯୁକ୍ତିକୁ ସମର୍ଥନ ଜଣାଇଥିଲେ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଗତ ଡିସେମ୍ୱର ୩ ତାରିଖରେ ଏହି ନିର୍ମାଣ କାମ ଉପରେ ରୋକ୍ ଲଗାଇବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲେ ସର୍ବୋଚ୍ଚ ଅଦାଲତ । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ବଦଳିବା ପରେ କ୍ଷମତାକୁ ଆସିଛି ଜଗନମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ । ଜଗନମୋହନ ଏବେ କେନ୍ଦ୍ରର ମୋଦି ସରକାରଙ୍କ ନିକଟତର ହୋଇଥିବା ବେଳେ ପୋଲାଭରମ୍ ପ୍ରକଳ୍ପ କାମ ଜାରି ରଖିବାକୁ କେନ୍ଦ୍ର ସରକାର ଆନ୍ଧ୍ରକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ।