ବିବାଦୀୟ ପୋଲାଭରମ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଆରମ୍ଭ : ନ୍ୟାୟ ପାଇବା ଆଶାରେ ପକ୍ଷଭୁକ୍ତ ରାଜ୍ୟ

73

କନକ ବ୍ୟୁରୋ : ପୋଲାଭରମ ମାମଲା ଅନେକ ବିବାଦ ଉପୁଡିଥିବା ନଜର ରହିଛି । ଏପରିକି ପୋଲାଭରମ ହେଲେ ଓଡିଶା୍ ସମେତ ତେଲେଙ୍ଗାନା, ଛତିଶଗଡ,ମହାରାଷ୍ଟ୍ର ଭଳି ଅନେକ ରାଜ୍ୟ କ୍ଷତିଗ୍ରସ୍ତ ହେବ । ତେଣୁ ଏହା ବିରୋଧରେ ରାଜ୍ୟ ଗୁଡିକ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ମଧ୍ୟ ଦାୟର କରିଥିଲେ । ତେବେ କେଉଁ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରାଯିବ ତାହାକୁ ମାମଲା ରୁଜୁ କରିଥିବା ରାଜ୍ୟ ଗୁଡିକ ସଠିକ ଭାବରେ ଦର୍ଶାଉନ୍ତୁ ବୋଲି କୋର୍ଟ କହିଥିଲେ । ତେବେ କୋର୍ଟରେ ମାମଲା ଦାୟର ହେବା ସମୟରେ କେତୋଟି ପକ୍ଷଭୁକ୍ତ ରାଜ୍ୟ ମୁଖ୍ୟ ପ୍ରସଙ୍ଗ ଦର୍ଷାଇ ନଥିବାରୁ କୋର୍ଟ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ । ତେବେ ପରେ ବିବାଦୀୟ ପୋଲାଭରମ୍‌ ଧୀରେ ଧୀରେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ପକ୍ଷଭୁକ୍ତ ରାଜ୍ୟ ଓ ସଂସ୍ଥାମାନେ ଯେତେସବୁ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ, ସେସବୁକୁ ଏକାଠି କରି ସେଥିରୁ ୧୩ଟି ପ୍ରସଙ୍ଗ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି। ତେବେ ନିର୍ଦିଷ୍ଟ କେଉଁ ୧୩ଟି ପ୍ରସଙ୍ଗକୁ କୋର୍ଟ ଗ୍ରହଣ କଲେ, ସେଥିରେ ଓଡ଼ିଶାର ସ୍ୱାର୍ଥ ସଂପର୍କିତ କେତୋଟି କଥାକୁ ଗୁରୁତ୍ୱ ମିଳିଛି, ତାହା ଜଣାପଡିନାହିଁ।

 

ତେବେ ପୋଲାଭରମ୍‌ ପ୍ରକଳ୍ପ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ସେଥିରେ ଓଡ଼ିଶା ପାଇଁ ସାମାନ୍ୟ ଆଶା ସଞ୍ଚାର ହୋଇଛି। ପୋଲାଭରମ୍‌ ପ୍ରକଳ୍ପର ପରିବେଶ ମଞ୍ଜୁରି ବେଆଇନ ବୋଲି ଓଡ଼ିଶା ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଶେଷରେ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟ ବନ୍ଦ ଆଦେଶକୁ ବର୍ଷେ ପାଇଁ ସ୍ଥଗିତ ରଖାଯିବା ସଂକ୍ରାନ୍ତରେ ହୋଇଥିବା ଓଡ଼ିଶାର ଆବେଦନ ସଂପର୍କରେ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି।

 

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ଆଜି ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ କହିଥିଲେ, ୨୦୧୧ ଫେବ୍ରୁଆରି ମାସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଆଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୫ ଜୁଲାଇରୁ ୨୦୧୬ ଜୁଲାଇ ୩ ପର୍ୟ୍ୟନ୍ତ କାର୍ୟ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖାଯାଇଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏ ସଂପର୍କରେ ଅବଗତ କରାଯିବା ପରେ ମଧ୍ୟ ଗତ ଜୁଲାଇ ୧୦ ତାରିଖରେ କାର୍ଯ୍ୟବନ୍ଦ ଆଦେଶକୁ ବର୍ଷେ ପାଇଁ ସ୍ଥଗିତ ରଖାଯାଇଛି। ତେବେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କୋର୍ଟ ଆନ୍ଧ୍ର ସରକାରଙ୍କୁ ନିଜର ପକ୍ଷ ରଖିବା ପାଇଂ କହିଛନ୍ତି । ତେବେ ଆନ୍ଧ୍ର ସରକାର ସଠିକ ସମୟରେ ପକ୍ଷ ଦାଖଲ ନକଲେ କୋର୍ଟ ଆନ୍ଧ୍ର ଉପରେ ଜୋରିମାନ ମଧ୍ୟ ଆଦାୟ କରିବେ ବୋଲି କହିଥିବା ସୂଚନା ମିଳିଛି । ତେବେ ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପର୍ଣ୍ଣ କରିବା ଲାଗି ଚାହୁଁଛନ୍ତି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନିଜେ ପ୍ରତ୍ୟେକ ମାସରେ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଥିବା ସୂଚନା ମିଳିଛି । ତେବେ କୋର୍ଟରେ ମାମଲା କରିଥିବା ରାଜ୍ୟ ଗୁଡିକ ନିଶ୍ଚିତ ଭାବରେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ।