ନୂଆ ମୋଡ଼ରେ ପୋଲାଭରମ୍ ଜନଶୁଣାଣି ପ୍ରସଙ୍ଗ : ସମ୍ମତି ଜଣାଇଥିଲା କେନ୍ଦ୍ର, ଓହରିଗଲା
ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କ୍ଷମା ମାଗିଲେ କେନ୍ଦ୍ର ସରକାର
କନକ ବ୍ୟୁରୋ: ବହୁଚର୍ଚ୍ଚିତ ପୋଲାଭରମ ମାମଲା ପୁଣି ନୂଆ ମୋଡ ନେଇଛି । ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଓଡିଶା ଓ ଛତିଶଗଡରେ ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଜନଶୁଣାଣି ପାଇଁ କେନ୍ଦ୍ର ସରକାର ରାଜି ହୋଇଥିଲେ । ହେଲେ ଶନିବାର ସାନି ସତ୍ୟପାଠ ଦାଖଲ କରି ଏଥିରୁ ଓହିର ଯାଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଦୁଇ ରାଜ୍ୟରେ ଜନଶୁଣାଣି ଲାଗି ଭୁଲବଶତଃ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଙ୍ଗଲ ପରିବେଶ ମନ୍ତ୍ରାଳୟର କନିଷ୍ଠ ଅଧିକାରୀ, ବରିଷ୍ଠ ଅଧିକାରୀଙ୍କ ଅଗୋଚରରେ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ତ୍ରୁଟିପୂର୍ଣ୍ଣ ସୂଚନା ଦେଇଥିଲେ । ଏଥିପାଇଁ ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କ୍ଷମା ପ୍ରାର୍ଥନା କରିଛନ୍ତି । ତେଣୁ ସୋମବାର ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।
୨୦୧୬ ଜୁଲାଇ ୧୯ ତାରିଖ ଓ ୨୦୧୭ ସେପ୍ଟେମ୍ବର ୧୫ ତାରିଖରେ ମନ୍ତ୍ରାଳୟକୁ ପତ୍ର ଲେଖି ଓଡ଼ିଶା ସରକାର ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଣାଇଥିେଲ ଯେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଅନ୍ତରୀଣ ଆଦେଶ ଉଲ୍ଲଂଘନ କରିଥିବା ପରିପ୍ରେକ୍ଷୀରେ ଜନଶୁଣାଣି ଗ୍ରହଣୀୟ ନୁହେଁ। କେବଳ ସେତିକି ନୁହେଁ, ୨୦୧୭ ଅକ୍ଟୋବର ୧୧ ଓ ୨୦୧୮ ଏପ୍ରିଲ ୧୨ ତାରିଖରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟକୁ ପତ୍ର ଲେଖି ଜଣାଇଥିଲେ ଯେ ମାମଲାଟି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଜନଶୁଣାଣି ସମ୍ଭବ ନୁହେଁ। ଯଦି ସୁପ୍ରିମକୋର୍ଟ ଅନୁମତି ଦିଅନ୍ତି, ତେବେ ଜନଶୁଣାଣି କରାଯିବ ବୋଲି ଓଡ଼ିଶା ସରକାର ଜଣାଇଥିଲେ। ସେହିପରି ଛତିଶଗଡ ସଂପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି।
ସତ୍ୟପାଠରେ କେନ୍ଦ୍ର ସରକାର ଜନଶୁଣାଣି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ବୋର୍ଡ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ବିଚାର ବିମର୍ଶ କରି ଜନଶୁଣାଣି ପ୍ରକ୍ରିୟା ଶେଷ କରିବେ। ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହିଁ ଏହି ଜନଶୁଣାଣି କରାଯିବ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଏଥିରେ ସହାୟତା କରିବେ। ତେବେ ଯେ ପର୍ୟ୍ୟନ୍ତ ଦୁଇ ରାଜ୍ୟ ସରକାର ଅନିଚ୍ଛୁକ ଥିବେ, ସେ ଯାଏ ଜନଶୁଣାଣି ସମ୍ଭବପର ହେବ ନାହିଁ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି।