ବୁଧବାର ସନ୍ଧ୍ୟା ସୁଦ୍ଧା ପୋଲାଭରମ ମାମଲାରର ମୁଖ୍ୟ ପ୍ରସଙ୍ଗର ତାଲିକା ଦେବା ପାଇଁ ପକ୍ଷଭୁକ୍ତ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ !

47

କନକ ବ୍ୟୁରୋ : ପୋଲାଭରମ ବିବାଦ ଥମିବାରେ ନା ନେଉ ନାହିଁ । ପୋଲାଭରମ ଆରମ୍ଭ ହେବା ଦିନଠାରୁ ବିରୋଧ ହେବାରେ ଲାଗିଛି । ଏହା କାର୍ଯ୍ୟକାରୀ ହେଲେ ଓଡିଶା ସମେତ, ଛତିଶଗଡ, ତେଲେଙ୍ଗାନା ଆଦି ରାଜ୍ୟ ବିଶେଷ ଭାବରେ ପ୍ରଭାବିତ ହେବେ । ତେବେ ରାଜ୍ୟ ଗୁଡିକ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ମାମଲା ମଧ୍ୟ କରିଛନ୍ତି । ତେବେ ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପ ଭାବରେ ଘୋଷଣା କରିଛନ୍ତି । ଏହାସହ ପ୍ରତ୍ୟେକ ମାସରେ ଆନ୍ଧ୍ର ସରକାର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ମଧ୍ୟ କରୁଛନ୍ତି । ତେବେ ଏହାରି ମଧ୍ୟରେ ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଛି। ବିଚାରପତି ମଦନ ବି ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପକ୍ଷଭୁକ୍ତ ୬ଟି ରାଜ୍ୟ ( ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ)କୁ ପ୍ରସଙ୍ଗ ନିର୍ଧାରଣ କରିବା ସହିତ ତାହାର ତାଲିକା ବୁଧବାର (ଅଗଷ୍ଟ ୧ ତାରିଖ) ସଂଧ୍ୟା ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିକା ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ ତାରିଖରେ କରାଯିବାକୁ ସ୍ଥିର ହୋଇଛି।

 

ସୁପ୍ରିମକୋର୍ଟଙ୍କ ମେ ୧୧ ତାରିଖ ନିର୍ଦ୍ଦେଶ ସତ୍ତ୍ୱେ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକର ତାଲିକାର ଚୂଡ଼ାନ୍ତ ରୂପ ଦିଆଯାଇ ନଥିବାରୁ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାରେ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟଙ୍କ ଦ୍ୱାରା ଖଣ୍ଡପୀଠଙ୍କ ନିକଟରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକଳ୍ପ ସମ୍ପର୍କିତ ମୁଖ୍ୟ ପ୍ରସଙ୍ଗର ତାଲିକା ମିଳିତଭାବେ ଦାଖଲ କରାଯାଇଥିଲା। ମହାରାଷ୍ଟ୍ର ଓ କର୍ଣ୍ଣାଟକ ପକ୍ଷରୁ ତାଲିକା ଦାଖଲ କରାଯାଇ ନଥିବାରୁ ଏହି ଦୁଇ ରାଜ୍ୟର ଓକିଲଙ୍କୁ ତାଲିକା ଦାଖଲର ଶେଷ ସୁଯୋଗ ଖଣ୍ଡପୀଠ ଦେଇଥିଲେ। ଏତଦ୍ବ୍ୟତୀତ ସୁବ୍ରମଣ୍ୟଙ୍କ ପକ୍ଷରୁ ଯେତେବେଳେ ୪ଟି ରାଜ୍ୟର ତାଲିକା ଦାଖଲ କରାଗଲା ସେହି ତାଲିକାରେ ସଂପୃକ୍ତ ରାଜ୍ୟର ଓକିଲମାନଙ୍କ ଦସ୍ତଖତ ନଥିବା ଦେଖି ଏହାକୁ କିଭଳି ଗ୍ରହଣ କରାଯିବ ବୋଲି ପ୍ରଶ୍ନ କରିଥିଲେ। ରିପୋର୍ଟରେ ଓକିଲଙ୍କ ଦସ୍ତଖତ ଓ ତାରିଖ ଉଲ୍ଲେଖ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

 

ଏପଟେ ପୋଲାଭରମ ପ୍ରକଳ୍ପର ଯୋଗଦାର କାମ ଚାଲୁଥିବା ଜଣାପଡିଛି । ଅତିଶୀଘ୍ର ଏହାର କାମ ସରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ପୋଲାଭରମ୍ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଆନ୍ଧ୍ର ପ୍ରଦେଶ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତୀନ ଗଡ଼କରୀ ରାଜ୍ୟସଭାରେ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଜାତୀୟ ପ୍ରକଳ୍ପ ଘୋଷଣା କରାଯିବା ପରେ ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣର ସୁପାରିସ ଅନୁସାରେ ୬୭୬୪.୧୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିଲା। ହେଲେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୮୬୬୨.୬୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। ପ୍ରାଧିକରଣ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ସୁପାରିସ ଅନୁସାରେ ଏହି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏପଟେ ଏହି ପ୍ରକଳ୍ପକୁ ଯୋରଦାର ବିରୋଧ କରୁଛନ୍ତି ଓଡିଶା ସମେତ ୫ ରାଜ୍ୟ । ଓଡିଶା ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି ଯେ, ସେମାନେ ତାଙ୍କ ରାଜ୍ୟର ସୁବିଧା ଲାଗି ଯୋଜନା କରୁଛି ତାହା ଠିକ ଅଛି । କିନ୍ତୁ ଏହି ଯୋଜନା ମାଧ୍ୟମରେ ଯେପରି ଅନ୍ୟ କୈାଣସି ରାଜ୍ୟର ଲୋକ କ୍ଷତିରେ ନ ପଡନ୍ତି ତାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି ।