ଆଜି ଦିଲ୍ଲୀରେ ଆନ୍ତଃରାଜ୍ୟ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ! ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ଉଠାଇବେ ନବୀନ

186

କନକ ବ୍ୟୁରୋ : ଦିଲ୍ଲୀରେ ଶୁଭିବ ଓଡିଶାର ସ୍ୱର । ପୋଲାଭରମ ଓ ମହାନଦୀ ପ୍ରସଙ୍ଗ ଆନ୍ତଃରାଜ୍ୟ ଷ୍ଟାଣ୍ଡିଂ କମିଟି ବୈଠକରେ ଉଠାଇବେ ବୋଲି ନବୀନ କହିଛନ୍ତି । ଦ୍ୱାଦଶ ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଏହା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ।

Source:oneindia.com

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ, ଅରୁଣ ଜେଟଲି, ନୀତିନ ଗଡ଼କରୀଙ୍କ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ଭାବେ ଯୋଗ ଦେବେ। ବୈଠକରେ ପୁଞ୍ଛି କମିସନଙ୍କ କେନ୍ଦ୍ର-ରାଜ୍ୟ ସମ୍ପର୍କର ବିଭିନ୍ନ ସୁପାରିସ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟଗୁଡ଼ିକର ସ୍ୱତନ୍ତ୍ରତାକୁ ଦୃଢ଼ କରିବା ଦିଗରେ ଏବଂ ରାଜ୍ୟପାଳମାନଙ୍କ ଭୂମିକା ନିର୍ଦ୍ଧାରଣ ଦିଗରେ ପୁଞ୍ଛି କମିସନ ଯେଉଁ ସୁପାରିସ ଦେଇଥିଲେ, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା ହେବ। କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କ ଉପରେ ମଧ୍ୟ ଆଲୋଚନା କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଛି କମିସନ ଦେଇଥିବା ସୁପାରିସ ଉପରେ ମଧ୍ୟ ରାଜ୍ୟର ମତ ରଖିବେ। ପଛୁଆ ରାଜ୍ୟଗୁଡ଼ିକୁ ଅଧିକ କେନ୍ଦ୍ରୀୟ ଅର୍ଥ ପ୍ରଦାନ କରି ସେଗୁଡ଼ିକର ମାନବ ସମ୍ବଳ ଓ ଭିତ୍ତିଭୂମି ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ଭୁବନେଶ୍ୱର ଫେରିବାର କାର୍ୟ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏପ୍ରିଲ ମାସରେ ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ଏକାଦଶତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାନଦୀ ଜଳବିବାଦ ଓ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ।

ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ମନା କରିଦେଲା ପରେ ବିଜେଡି ଏହାକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇବ। ଆସନ୍ତା ୨୭ ତାରିଖରେ ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ କଲେ, ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଲେ, ଓଡ଼ିଶାର ଧାନ ଚାଷୀଙ୍କୁ ଅଧିକ ଏମଏସପି ପ୍ରଦାନ ପାଇଁ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରୁଛନ୍ତି। ଆମ ବ୍ୟବସ୍ଥାରେ କୃଷିଜାତ ସମାଗ୍ରୀ ଏମଏସପି କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଦାବିକୁ କ୍ରମାଗତ ଉପେକ୍ଷା କରି ଧାନର ଏମଏସପି ବୃଦ୍ଧି କରାଯାଉ ନାହିଁ।