‘ସ୍ମାଇଲିଂ ବୁଦ୍ଧ’! ଗୋଟିଏ କୋଡ଼ୱାର୍ଡ଼ ଭାରତକୁ ବନାଇ ଦେଇଥିଲା ନ୍ୟୁକ୍ଲିୟର ପାୱାର, ଚିହିଁକି ଉଠିଥିଲା ଆମେରିକା

6

ମେ ୧୮, ୧୯୭୪ । ଭାରତ ଇତିହାସର ଏକ ସ୍ୱର୍ଣ୍ଣିମ ଦିବସ । ଏହି ଦିନରେ ବୁଦ୍ଧ ପୁର୍ଣ୍ଣିମା ଉତ୍ସବ ମନାଉଥିଲେ ଭାରତବାସୀ । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପାଇଁ ଏହି ଦିନଟି ଅଗ୍ନିପରୀକ୍ଷାର ଦିନ ଥିଲା । ସେ ନିଜ ରୁମରେ ଏପଟ ସେପଟ ହେଉଥିଲେ । ଏହାସହ ବେଶ ଚିନ୍ତିତ ମଧ୍ୟ ଜଣାପଡ଼ୁଥିଲେ । ଲାଗୁଥିଲା ଇନ୍ଦିରା ଗାନ୍ଧି ଯେମିତି କାହାକୁ ଅପେକ୍ଷା କରିଛନ୍ତି । ଠିକ୍ ଏହି ସମୟରେ ଫୋନର ଘଣ୍ଟି ବାଜିଲା, ଆଉ ଇନ୍ଦିରା ଗାନ୍ଧି କାଳବିଳମ୍ବ ନକରି ତତକ୍ଷଣାତ ଫୋନ ଉଠାଇଥିଲେ । ଅନ୍ୟପଟରୁ କେବଳ ଗୋଟିଏ କଥା ଶୁଭିଲା ସ୍ମାଇଲିଂ ବୃଦ୍ଧ ଅଥାର୍ତ ବୃଦ୍ଧ ହସିଲେ । ବାସ ଏହି ପଦେ କଥା ଇନ୍ଦିରାଙ୍କ ଦେହରେ ଶତ ସିଂହର ବଳ ଆଣିଥିଲା । ଖୁସିରେ ଆତ୍ମହରା ହୋଇଯାଇଥିଲେ ଇନ୍ଦିରା । ଏହି ଫୋନଟି ଅନ୍ୟ କାହାର ନଥିଲା ବରଂ ଜଣେ ବୈଜ୍ଞାନିକଙ୍କର ଥିଲା । ଆଉ ବୈଜ୍ଞାନିକ ଜଣକ ଦେଇଥିବା ସନ୍ଦେଶ ସ୍ମାଇଲିଂ ବୁଦ୍ଧର ଅର୍ଥ ଥିଲା ଭାରତ ପରମାଣୁ ଶକ୍ତି ସର୍ମ୍ପନ୍ନ ରାଷ୍ଟ୍ର ହୋଇସାରିଥିଲା । ପୋଖାରାନରେ ପରମାଣୁ ବୋମାର ପରୀକ୍ଷଣ କରି ଭାରତ ଦୁନିଆର ପ୍ରଥମ ଦେଶ ଭାବେ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ନ ହୋଇ ମଧ୍ୟ ଏଭଳି ପରୀକ୍ଷା କରିବାକୁ ସାହସ କରି ସଫଳ ମଧ୍ୟ ହେଲା । ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ଚରମ ସୀମାରେ ପହଞ୍ଚିଥିଲା ।

ସ୍ମାଇଲିଂ ବୁଦ୍ଧ ଅଥାର୍ତ ବୁଦ୍ଧ ହସୁଛନ୍ତି । ଅତ୍ୟନ୍ତ ଗୋପନୀୟ ଭାବେ ହୋଇଥିବା ପରମାଣୁ ପରୀକ୍ଷଣର ଏହି ଅପରେସନ ପାଇଁ ଏଭଳି ନାମ ବାଛିବା ପଛରେ ଏକ ବଡ଼ ରହସ୍ୟ ରହିଥିଲା । କାରଣ ବୁଦ୍ଧ ପୂର୍ଣ୍ଣିମା ଦିନ ହିଁ ପରମାଣୁ ପରୀକ୍ଷଣ ହୋଇଥିଲା ଓ ଏହି ପରୀକ୍ଷଣ ଜରିଆରେ ବିଶ୍ୱରେ ଭାରତ ଶାନ୍ତି ପ୍ରତିଷ୍ଠା କରିବାକୁ ସନ୍ଦେଶ ଦେବାକୁ ଚାହୁଁଥିଲା । ଅତି ଗୋପନୀୟ ଭାବେ ଭାରତ ଏହି ନ୍ୟୁକ୍ଲିୟର ଟେଷ୍ଟ କରିବା ପରେ ଆମେରିକା ବିଭିନ୍ନ କ୍ଷେତ୍ରରେ ଭାରତ ଉପରେ ରୋକ ଲଗାଇ ଦେଇଥିଲା ।

କେମିତି ହୋଇଥିଲା ଅପରେସନ ‘ସ୍ମାଇଲିଂ ବୃଦ୍ଧ’ :
ଇନ୍ଦିରା ଗାନ୍ଧି ୧୯୭୨ ମସିହାରେ ଭାଭା ଅଟୋମେଟିକ ରିସର୍ଚ୍ଚ ସେଣ୍ଟର ଗସ୍ତ ସମୟରେ ବୈଜ୍ଞାନିକ ମାନଙ୍କୁ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ କିନ୍ତୁ ଏହି ପରୀକ୍ଷଣ ବିଷୟରେ କେହି ମଧ୍ୟ ଟେର ପାଇନଥିଲେ । ପରୀକ୍ଷଣ ପୂର୍ବଦିନ ପର୍ଯ୍ୟନ୍ତ ଏହାର ଟିକିଏ ସୁରାକ କୌଣସି ଅଧିକାରୀ ପାଇନଥିଲେ । ଏହି ଗୋପନୀୟ ଅପରେସନ ପାଇଁ କିଛି ବର୍ଷ ଆଗରୁ ହିଁ ଏକ ଟିମ୍ ପ୍ରସ୍ତୁତି ପର୍ବ ଆରମ୍ଭ କରି ସାରିଥିଲେ । ଆଉ ଏହାର ପୁନାଦି ପଡ଼ିଥିଲା ୧୯୬୭ ମସିହାରୁ । ୧୯୬୭ରୁ ୧୯୭୪ ମଧ୍ୟରେ ୭୫ ବୈଜ୍ଞାନିକ ଓ ଇଞ୍ଜିନିୟର ଟିମ୍ ସାତବର୍ଷ କଠିନ ପରିଶ୍ରମ କରି ଏହି ମିସନକୁ ସଫଳ କରିଥିଲେ । ଏହି ମିଶନର ଦାୟିତ୍ୱ ବିଏଆରସି ନିର୍ଦ୍ଦେଶକ ଡ. ରାଜା ରମାନ୍ନାଙ୍କ କାନ୍ଧରେ ରହିଥିଲା । ଆଉ ଏହି ମିସନର ନାଁ ରଖାଯାଇଥିଲା ବୃଦ୍ଧ ଇଜ ସ୍ମାଇଲିଂ ।

୧୯୭୨ ସୁଦ୍ଧା ପରମାଣୁ ପରୀକ୍ଷଣ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଥିଲା । ତେବେ ୧୯୭୪ ମସିହାରେ ଇନ୍ଦିରା ଗାନ୍ଧି ପରମାଣୁ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ଏଥିପାଇଁ ରାଜସ୍ଥାନର ପୋଖରାନକୁ ଚୟନ କରାଯାଇଥିଲା । ଆଉ ୧୮ ମେ ୧୯୭୪ ମସିହାରେ ପରମାଣୁ ପରୀକ୍ଷଣ କରି ଇତିହାସ ରଚିଥିଲା ଭାରତ । ଆଉ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭିତରେ ନିଜ ନାଁ ସାମିଲ କରିଥିଲା ।

Comments are closed.