କଦଳୀରେ ମିଶୁଛି ଭୟଙ୍କର ବିଷ ! ଇଥେଫୋନ ସ୍ପ୍ରେର ୬ ଘଣ୍ଟାରେ କଞ୍ଚା କଦଳୀ ପାଲଟୁଛି ପାଚିଲା କଦଳୀ, ପ୍ରଭାବରେ ହେଉଛି ସାଂଘାତିକ ରୋଗ । କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ

251

କନକ ବ୍ୟୁରୋ : ବଜାରରେ ମିଳୁଛି ବିଷ କଦଳୀ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ବିଲକୁଲ୍ ସତ । କଞ୍ଚ କଦଳୀକୁ ପଚାଇବା ପାଇଁ ବ୍ୟବହାର ହେଉଛି ମାରାତ୍ମକ ରାସାୟନିକ ପଦାର୍ଥ । ବଜାର ଚାହିଦା ମେଂଟାଇବା ପାଇଁ କଦଳୀକୁ କଂଚା କଟାଯାଇ କାଲସିୟମ କାରବାଇଡ୍ ପ୍ରଲେପ ଦେଇ କିମ୍ବା ଇଥେଫୋନ ନାମକ କେମିକାଲ୍୍ ସ୍ପ୍ରେ କରି ପଚାଯାଉଛି । ଏହିସବୁ ରାସାୟନିକ ପଦାର୍ଥରେ ସଂସ୍ପର୍ଶରେ ଆସିଲେ ହଳଦୀ ଗୁରୁଗୁରୁ ହୋଇ କଦଳୀ ପାଚିଯାଉଛି । ଦେଖିବାକୁ ଗଛ ପାଚିଲା କଦଳୀ ଠାରୁ ଆହୁରି ସୁନ୍ଦର ଦେଖାଯାଉଛି । ଆମେ ସ୍ୱାସ୍ଥ୍ୟକର ଭାବି ପାଚିଲା କଦଳୀ ଖାଉଛୁ ମାତ୍ର ଅସଲ କଥା ହେଉଛି ପାଚିଲା କଦଳୀରେ ବିଷ ଖାଇ ଆମେ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରୁଛୁ ।

ଆପଣ ଖାଉଥିବା କଦଳୀ କେତେ ସୁରକ୍ଷିତ! ଏହାର ଯାଞ୍ଚ କରିବା ପାଇଁ କନକ ନ୍ୟୁଜ ଆରମ୍ଭ କରିଥିଲା ଅନୁସନ୍ଧାନ । ଆଉ ଏହାର ଖିଅ ଖିଅ ଖୋଜୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ହଳଦୀ ଗୁରୁଗୁରୁ ଦେଖାଯାଉଥିବା କଦଳୀ ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ ତାହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । କଂଚା କଦଳୀ ଉପରେ ଇଥେଫୋନ ସ୍ପ୍ରେ କରାଯାଉଛି । କାରଣ ଖୁବ କମ ସମୟ ମଧ୍ୟରେ କଦଳୀ ପାଚିବା ଦରକାର । ସ୍ପ୍ରେ ହେବା ପରେ ମାତ୍ର ୨୪ ଘଂଟା ଭିତରେ କଦଳୀ ପାଚିଯିବ ଓ ବିକ୍ରି ଉପଯୋଗୀ ହୋଇଯିବ । ରଙ୍ଗ ଠାରୁ ଆରମ୍ଭ କରି କଦଳୀର ସ୍ୱାଦ ଦୃଷ୍ଟିରୁ ଦେଖିଲେ ଏହି କଦଳୀ କୌଣସି ଗୁଣରେ କମ ନୁହେଁ । ମାତ୍ର ଇଥେଫୋନ୍ ଭଳି ମାରାତ୍ମକ ରାସାୟନିକ କଦଳୀକୁ ବିଷାକ୍ତ କରିଦେଉଛି । ସ୍ୱାସ୍ଥ୍ୟ ପାଇଁ ଅତି ହିତକର ପାଚିଲା କଦଳୀ ହୋଇଯାଉଛି ବିଷାକ୍ତ । ଅନେକପ୍ରକାର ମାରାତ୍ମକ ରୋଗର କାରଣ ସାଜୁଛି ଏହି ଇଥେଫୋନ୍ । ଏଭଳି ରାସାୟନିକର ମାତ୍ରାଧିକ ବ୍ୟବହାର ଘାତକ ମଧ୍ୟ ହୋଇପାରେ ।

ଇଥେଫୋନ ହେଉଛି ଏକ ରାସାୟନିକ ମିଶ୍ରଣ । ଇଥେରୋନ୍. ପ୍ରୋପାଇଲିନ୍ କ୍ଲାଇକୋନ୍ ଓ ଡିଷ୍ଟିଲ୍ ୱାଟର୍ ମିଶି ଇଥେଫୋନ୍ ସୃଷ୍ଟି ହୁଏ । ରୁସପୋନ୍ ଭଳି ବିଭିନ୍ନ ବ୍ରାଣ୍ଡରେ ବଜାରରେ ଉପଲବ୍ଧ ହେଉଛି ଏହି କେମିକାଲସ । କେମିକାଲ୍ ପ୍ରଭାବରେ ସାଧାରଣ ଭାବେ ୨୪ ଘଂଟାରେ କଦଳୀ ପାଚୁଥିବା ବେଳେ ଅଧିକ ମାତ୍ରାରେ ଇଥେଫୋନ ସ୍ପ୍ରେ କଲେ ୬ ଘଂଟାରେ ବି ପାଚିଯାଇଥାଏ କଂଚା କଦଳୀ । ଯାହା ସ୍ୱାସ୍ଥ୍ୟ ପାଇଁ ଅତି ହାନିକାରକ ।ଇଥେଫୋନ ଦ୍ୱାରା ପଚାଯାଉଥିବା କଦଳୀ ଅନେକ ରୋଗ ସୃଷ୍ଟି କରିଥାଏ । ବିଭିନ୍ନ ପ୍ରକାର ପେଟରୋଗ, ଶ୍ୱାସକ୍ରିୟାରେ ସମସ୍ୟା, ଚର୍ମରୋଗ ଆଦି ରୋଗ ଆକ୍ରାନ୍ତ କରିଥାଏ । ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ଛୋଟ ଛୋଟ ଶିଶୁଙ୍କ ମାନସିକ ବିକାଶରେ ମଧ୍ୟ ବାଧା ପହଁଚାଇଥାଏ ।

କଦଳୀ ପାଚିବାର ଆଉ ଏକ ପଦ୍ଧତି ମଧ୍ୟ ଜାଣି ରଖନ୍ତୁ । କାଲସିୟମ୍ କାରବାଇଡ୍ ଦେଇ ପଚାଯାଉଛି କଦଳୀ । ତେବେ ଏହାର ମାରାତ୍ମକ ପ୍ରଭାବ ଯୋଗୁଁ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ଏହାକୁ ବ୍ୟାନ୍ କରିଛି । ମାତ୍ର ଏହାକୁ ମଧ୍ୟ ସଂପୂର୍ଣ୍ଣ ରୋକାଯାଇ ପାରିନାହିଁ । ସେପଟେ ମନଇଚ୍ଛା ଇଥେଫୋନ୍ ବ୍ୟବହାର କରୁଛନ୍ତି ବ୍ୟବସାୟୀ । କଦଳୀ ବିକିବା ପାଇଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବ୍ୟବସାୟୀ । ଏଥିରେ ନା ଅଛି ସରକାର ଅଙ୍କୁଶ ଓ ନା ଅଛି ଲୋକଙ୍କ ମଧ୍ୟରେ ସଚେତନତା । ଖାଉଟି ନାଚାର, କାରଣ ବିନା କେମିକାଲରେ ପାଚିଥିବା କଦଳୀ ଏବଂ କେମିକାଲ୍ରେ ପାଚିଥିବା କଦଳୀ ଚିହ୍ନିବା ପାଇଁ ଉପାୟ ନାହିଁ ।