“ମୋଦି”ଙ୍କ ମହାଘୋଟାଲା ! ୧୧ ହଜାର କୋଟି ଚୂନା ମାରି ଦେଶ ଛାଡି ଚାଲିଗଲେ “ମୋଦି”

45

ସମସ୍ତଙ୍କୁ ଚମକାଇଲା ଭଳି ବ୍ୟାଙ୍କ ଘୋଟାଲା । ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ -ପଂଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୧ ହଜାର କୋଟିରୁ ଅଧିକ ଟଙ୍କାର ଚୂନା ଲଗାଇଛନ୍ତି ବିଶିଷ୍ଟ ହୀରା ବ୍ୟବସାୟୀ ନିରଭ ମୋଦି । ବ୍ୟାଙ୍କ ଠକେଇରେ ମଦ ଟାଇକୁନ୍ ବିଜୟ ମାଲ୍ୟାକୁ ବି ଟପି ଯାଇଛନ୍ତି ନିରଭ ମୋଦି । ଏହି ସ୍କାମର ପର୍ଦ୍ଦାଫାସ ହେବା ପୂର୍ବରୁ ପରିବାର ସହ ବିଦେଶକୁ ଖସି ପଳାଇଛନ୍ତି ନିରଭ । ସିବିଆଇ ଓ ଇଡି ଏ ନେଇ ତନାଘନା ଆରମ୍ଭ କରିଛି । ନିରଭ ଓ ତାଙ୍କ ପାର୍ଟନରଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ଓ ବାସଭବନରେ ଚଢାଉ କରି ୧୩ ଶହ କୋଟି ଟଙ୍କାର ସଂପତି ଜବତ କରାଯାଇଛି ।

ନିରଭ ମୋଦି । ମହା ଧୋକାଦାରୀର ମୁଖ୍ୟ ଖଳନାୟକ । ବିଶ୍ୱର ବଛା ବଛା ସହରରେ ରହିଛି ତାଙ୍କର ଡାଇମଣ୍ଡ ଷ୍ଟୋର । ଓସ୍କାର ଠାରୁ ହଲିଉଡର ବଡ଼ ବଡ଼ କାର୍ଯ୍ୟକ୍ରମରେ ଅତିଥି ବନନ୍ତି ଏହି ଫ୍ରଡ୍ ମାଷ୍ଟର । ଯାହାଙ୍କ ହୀରା ଗହଣାର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି ବଲିଉଡ ଓ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବେଲଜିୟମରେ ବଢିଥିବା ଏହି ହୀରା ବ୍ୟବସାୟୀ ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କକୁ ୧୧ ହଜାର ୪୦୦ କୋଟି ଟଙ୍କାର ଚୂନା ଲଗାଇଛନ୍ତି । ଗତ ବର୍ଷ ପଂଜାବ ନ୍ୟାସନାଲ ବ୍ୟାଙ୍କ ଯେତିକି ନେଟ୍ ପ୍ରଫିଟ୍ କରିଥିଲା, ତା’ର ପାଖାପାଖି ୮ ଗୁଣା ଠକି ଦେଇଛନ୍ତି ନିରଭ ।

୨୦୧୧ରେ ନିରଭ ମୋଦି କରିଥିଲେ ଏହି ଠକେଇର ମାଷ୍ଟର ପ୍ଲାନ । ମୁମ୍ବାଇରେ ଥିବା ପିଏନବିର ବ୍ରାଣ୍ଡି ହାଉସ୍ ବ୍ରାଂଚର ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟୀ ଓ ଅନ୍ୟ କିଛି କର୍ମଚାରୀଙ୍କୁ ହାତ କରି ରଚିଥିଲେ ଠକେଇର ଚାଲ୍ । ଜାଲ୍ ଲେଟର୍ ଅଫ୍ ଅଣ୍ଡରଟେକିଂ ବା ବ୍ୟାଙ୍କ ଗ୍ୟାରେଂଟି ପ୍ରସ୍ତୁତ କରି ବିଦେଶରେ ଥିବା ଭାରତୀୟ ବ୍ୟାଙ୍କରୁ ନେଇଥିଲେ କୋଟି କୋଟି ଟଙ୍କାର ଋଣ । ବିଦେଶରୁ ହୀରା ଓ ଅନ୍ୟ ରତ୍ନ ପଥର ଆମଦାନୀ ପାଇଁ ୯୦ ଦିନିଆ ୧୦୦ ପ୍ରତିଶତ ବ୍ୟାଙ୍କ୍ ଗ୍ୟାରେଂଟି ହାସଲ କରୁଥିଲେ । ମାତ୍ର ଫରେନ୍ ସପ୍ଲାୟରଙ୍କୁ ନିର୍ଦ୍ଧାରିତ ସମୟରେ ଟଙ୍କା ପରିଶୋଧ କରୁନଥିଲେ । ଫଳରେ ବ୍ୟାଙ୍କଗୁଡିକୁ ଦେବାକୁ ପଡୁଥିଲା ଏହି ବକେୟା ଅର୍ଥ । ତେବେ ସିବିଏସ୍ (CBS) ବା କୋର୍ ବ୍ୟାଙ୍କିଂ ସଲ୍ୟୁସନ୍ ବ୍ୟବସ୍ଥାକୁ ନ ଆସି ସ୍ୱିଫ୍ଟ (SWIFT) ସିଷ୍ଟମରେ ଟଙ୍କା କାରବାର ହେଉଥିଲା । ସ୍ୱଫ୍ଟ ସିଷ୍ଟମ ହେଉଛି ଅନ୍ତର୍ଦେଶୀୟ ଆର୍ôଥକ କାରବାର ବ୍ୟବସ୍ଥା । ଫଳରେ ବ୍ୟାଙ୍କର ମୁଖ୍ୟ ଲେଜରକୁ ଆସୁନଥିଲା ଏହି କାରବାର । ବ୍ୟାଙ୍କ ବ୍ୟବସ୍ଥାରେ ଥିବା ତ୍ରୁଟି ଏବଂ ଦୁର୍ନୀତି ଗ୍ରସ୍ତ ବ୍ୟାଙ୍କରଙ୍କୁ ହାତ କରି ବେଶ୍ ସତର୍କତାର ଠକି ଚାଲିଥିଲେ ନିରଭ ।

4ଯେତେବେଳେ ଅନ୍ୟତମ ଖଳନାୟକ ବ୍ରାଣ୍ଡି ହାଉସ୍ ବ୍ରାଂଚର ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟୀ ଚାକିରିରୁ ଅବସର ନେଇଗଲେ, ପୂରା ରହସ୍ୟ ପଦାରେ ପଡିଥିଲା । ଗତ ମାସରେ ପଂଜାବ ନ୍ୟାସନାଲ ବ୍ୟାଙ୍କର ତନାଘନା ବେଳେ ସବୁ ସତ ସାମ୍ନାକୁ ଆସିଥିଲା । ସିବିଆଇ ଏହି ଯାଂଚ ଆରମ୍ଭ କରିବା ପରେ ଖୋଲିଥିଲା ଠକ ମାଷ୍ଟରଙ୍କ କାରନାମା । ଏହି ଘୋଟାଲାରେ ଆକ୍ସିସ୍ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଭଳି ଆଉ କିଛି ଭାରତୀୟ ବ୍ୟାଙ୍କ୍ ମଧ୍ୟ ଫସି ଯାଇଛନ୍ତି । କାରଣ ଏହି ବ୍ୟାଙ୍କ ଗୁଡିକ ମଧ୍ୟ ପିଏନବିର ଲେଟର ଅଫ୍ ଅଣ୍ଡରଷ୍ଟାଣ୍ଡିଙ୍ଗ୍ ଆଧାରରେ ଋଣ ଦେଇଥିଲେ ନିରଭଙ୍କ କଂପାନୀକୁ ।

ସିବିଆଇ ଓ ଇଡି ମାମଲା ରୁଜୁ କରିବା ପରେ ଆରମ୍ଭ ହୋଇଛି ଖୋଳତାଡ । ନିରଭ ମୋଦି ଓ ତାଙ୍କର ପାଟନର ତଥା ଗୀତାଂଚଳି ଓ ନକ୍ଷତ୍ର ଭଳି ବ୍ରାଣ୍ଡର ମାଲିକ ମେହୁଲ ଚୋକସୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଓ ବାସଭବନରେ ଚଢାଉ କରିଛି । ତେବେ ଏହି ଘଟଣା ପଦାକୁ ଆସିବା ପୂର୍ବରୁ ଏହାର ସୁରାକ ପାଇ ପରିବାର ସହ ନିରଭ ମୋଦି ଓ ମେହୁଲ ଚୋକସୀ ଦେଶ ବାହାରକୁ ଫେରାର ହୋଇଯାଇଛନ୍ତି । ବିଜୟ ମାଲ୍ୟାଙ୍କ ପରେ ନିରଭ ମୋଦିଙ୍କ ଏହି ସ୍କାମ୍ ସାରା ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏହି ଖବର ଆସିବା ପରେ ଆତଙ୍କ ଖେଳିଯାଇଛି ନିବେଶକଙ୍କ ମଧ୍ୟରେ । ପିଏନ୍ବିର ସେୟାର ମୂଲ୍ୟ ଦୁଇ ଦିନରେ ୨୧ ପ୍ରତିଶତ ହ୍ରାସ ଘଟିଛି ।