ପିଏନବି ମହାଦୁର୍ନୀତି ମାମଲା : ୨ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୩ଗିରଫ

37

କନକ ବ୍ୟୁରୋ : ପିଏନବି ମହାଦୁର୍ନୀତି ମାମଲାରେ ୩ଜଣ ଗିରଫ । ଆଜି ସିବିଆଇ ପଂଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଉପ ପ୍ରବନ୍ଧକ ଗୋକୁଳନାଥ ସେଠୀ ଓ ମନୋଜ ଖରାଟଙ୍କୁ ଗିରଫ କରିଛି । ଏହାସହ ନିରଭ ମୋଦିଙ୍କ ସହଯୋଗୀ ହେମନ୍ତ ଭଟ୍ଟଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ । ପିଏନବି ଓ ଅନ୍ୟ କମ୍ପାନୀର ୪ହଜାର ୮୮୬ କୋଟି ୭୦ଲକ୍ଷ ଟଙ୍କାର ଠକେଇରେ ନିରଭ ମୋଦିଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଗୋକୁଳନାଥ ସେଠୀ ଓ ମନୋଜ ଖରାଟଙ୍କୁ ସିବିଆଇ ଆଜି ଗିରଫ କରିଛି । ୩ଅଭିଯୁକ୍ତଙ୍କୁ ଆଜି ମୁମ୍ବାଇ ସ୍ଥିତ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଗୋକୁଳନାଇ ସେଠୀଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଗତ ଦୁଇ ଦିନ ଧରି ସିବିଆଇ ପଚରାଉଚର କରିବା ପରେ ଆଜି ତାଙ୍କୁ ଗିରଫ କରିଛି ।

nirav modi

ଏହି ସମୟରେ ତଦନ୍ତକାରୀ ସଂସ୍ଥା ତାଙ୍କର ବିଭିନ୍ନ ସମ୍ପତି ବ୍ୟାଙ୍କ ଆକାଉଂଟ, ଲକର ଆଦିର ତଥ୍ୟ ସଂଗ୍ରହ କରିବା ବେଳେ ବେଆଇନ କାରବାର ବିଷୟରେ ଜାଣିପାରିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୧ ହଜାର ୩ ଶହ କୋଟି ଟଙ୍କା ଦୁର୍ନୀତି ମାମଲାରେ ନିରଭ ମୋଦି ଓ ଗୀତାଞ୍ଜଳି ସମୂହର ୫୧ ଟି ଠିକଣାରେ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମାମଲାର ମୁଖ୍ୟ ଅଭିଯୁକ୍ତ ନିରଭ ମୋଦି ଓ ମେହୁଲ ଚୋକସେଙ୍କ ପାସପୋର୍ଟକୁ ୪ ସପ୍ତାହ ପାଇଁ ରଦ୍ଦ କରାଯାଇଛି । ଏହି ଦୁର୍ନୀତି ଜଣାପଡିବା ପରେ ଜାନୁଆରୀ ୩୧ରେ ସିବିଆଇ ଲୁକ ଆଉଟ ସର୍କୁଲାର ଜାରି କରିଥିଲା । ହେଲେ ଏହା ପୂର୍ବରୁ ଭାରତରୁ ଖସିଯାଇଛନ୍ତି ଧୂର୍ତ ନିରଭ ମୋଦି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜାଲ ଗ୍ୟାରେଂଟି ହାସଲ କରି ଅନ୍ୟ ଭାରତୀୟ ବ୍ୟାଙ୍କର ବିଦେଶୀ ଶାଖାରୁ ୧୧ହଜାର ୩ଶହ କୋଟି ଟଙ୍କା ଚୁନା ଲଗାଇଛନ୍ତି ପ୍ରଖ୍ୟାତ ହୀରା ବ୍ୟବସାୟୀ ନିରଭ ମୋଦି ।