ପାଣି ପାଇପ୍ ପରି ଗ୍ୟାସ୍ ପାଇପ୍ ! ସହରୀ ଭୋଟ୍ ପାଇଁ ଧର୍ମେନ୍ଦ୍ରଙ୍କ ମାଷ୍ଟରଷ୍ଟ୍ରୋକ୍

34

କନକ ବ୍ୟୁରୋ : ଗାଁ ଭୋଟରେ ବିଜେପିକୁ ଆଖିଦୃଷିଆ ସଫଳତା ପରେ ଏବେ ସହରାଂଚଳ ଭୋଟ୍ ଉପରେ ଆଖି । ରାଜ୍ୟ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସରେ ୨୦୧୮ରେ ହେବାକୁ ଥିବା ସହରାଂଚଳ ନିର୍ବାଚନ । ପ୍ରଧାନମନ୍ତ୍ରୀ ଉର୍ଜା ଗଂଗା ଯୋଜନାରେ ରାଜ୍ୟର ୫ ଲକ୍ଷ ଘରେ ସିଧାସଳଖ ପହଂଚିବ ଏଲପିଜି ଗ୍ୟାସ । ପାଇପ ଯୋଗେ ସିଧାସଳଖ ପ୍ରତ୍ୟେକ ଘରେ ରୋଷେଇ ଗ୍ୟାସ ପହଂଚାଇବାକୁ ମେଗା ପ୍ରକଳ୍ପ ଯୋଜନା ।

କେନ୍ଦ୍ର ସରକାରଙ୍କ ପାଇଲଟ ଯୋଜନାରେ ସାମିଲ ହେଲା ସ୍ମାର୍ଟସିଟି ଭୁବନେଶ୍ୱର ଓ କଟକ । ୪ ହଜାର କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ଆଗକୁ ବି ସାମିଲ ହେବେ ରାଜ୍ୟର ୧୩ ଜିଲ୍ଲା । ରନ୍ଧନ ଗ୍ୟାସ ଜରିଆରେ ସିଧାସଳଖ ଲୋକଙ୍କ ପାଖରେ ପହଂଚିବାକୁ ଯୋଜନା କରିଛି ବିଜେପି । ଆଗାମୀ ୧୮ ତାରିଖରେ ଜନସଚେତନତା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛି ପେଟ୍ରୋଲିୟମ ବିଭାଗ । ଯେଉଁଥିରେ ସାମିଲ ହେବେ ବିଭାଗୟୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଏଥିରୁ ରାଜନୈତିକ ଫାଇଦାର ଗନ୍ଧ ବାରିଛି ବିଜେଡି ।

ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପ ଲାଇନରୁ ଭୁବନେଶ୍ୱର ଓ କଟକ ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ ପ୍ରାକୃତିକ ରନ୍ଧନ ଗ୍ୟାସ । ପରିବେଷ ଉପରେ ଏହାର ପ୍ରତିକୂଳ ପ୍ରଭାବ ରହିବ ନାହିଁ । ୭୬୨ କିଲୋମିଟର ବ୍ୟାପି ଏହି ଗ୍ୟାସ ପାଇପ ଲାଇନରୁ ବି ଫାଇଦା ପାଇବେ ରାଜ୍ୟର କ୍ଷୁଦ୍ର ଶିଳ୍ପ ଓ ଯାନବାହାନ ।

ଆସନ୍ତାବର୍ଷ ମଧ୍ୟଭାଗ ବେଳକୁ ହୋଇପାରେ ପୌର ନିର୍ବାଚନ । ଗାଁ ଭୋଟ ପରେ ଏବେ ସହର ଭୋଟ ଉପରେ ରାଜନୈତିକ ଦଳଙ୍କର ନଜର । ଯଦି କେନ୍ଦ୍ର ସରକାରଙ୍କର ଓଡିଶାର ସହରରେ ଏହି ଯୋଜନା ଧାର୍ଯ୍ୟ ସମୟ ଭିତରେ ସଂପୂର୍ଣ୍ଣ ହୁଏ ତେବେ ଏହା ବିଜେପିକୁ ପୁଣି ଏକ ବଡ ସଫଳତା ଦେବାର ସମ୍ଭାବନା ରହିଛି ।